କୁଞ୍ଜ ବିହାରୀ ସାହୁ
ସକାଳେ ପାଗ ଭଲ ଥିଲା, ଅଥଚ ଉପରେବେଳା ପାଗ ସମ୍ପୂର୍ଣ୍ଣ ବଦଳିଗଲା । ଆକାଶ ମେଘୁଆ ହେଇଗଲା । ତୁହାକୁ ତୁହା ବର୍ଷା ଆଉ ବିଜୁଳି ମାରିଲା ।
ରୋଷେଇ ଘରେ ସାନୁ ବିସ୍କୁଟ ଖାଉଥିଲା । ତା ମୁଣ୍ଡରେ କଅଣ ଜୁଟିଲା କେଜାଣି ଦାଣ୍ଡଦୁଆରକୁ ଆସି ଦେଖିଲା ରାସ୍ତାରେ ବର୍ଷାପାଣି । ଦୁଆର ପାଖରେ ସୁଅ ଛୁଟୁଛି । ଖାତାରୁ କାଗଜ ଚିରିଲା କିଛି ନ ଭାବି । ଲେଖା କି ଅଲେଖା କାଗଜ ଜାଣିବାକୁ ଚେଷ୍ଟା କଲାନି । ସାଙ୍ଗଠୁ ଶିଖିଥିବା କାଗଜଡଙ୍ଗା ତିଆରିଲା । ବୋଉକୁ ନ କହି ପାଣି ସୁଅରେ ଭସେଇଦେଲା । ଆଗକୁ ଚାଲିଲା କାଗଜଡଙ୍ଗା । ତାଳି ମାରି ଗୀତ ଗାଇଲା – ଭାସିଯା ମୋର କାଗଜ ଡଙ୍ଗା ଭାସିଯା
ମୋ ସାଙ୍ଗ ଘରକୁ ଥିଇରି ଥିଇରି ଭାସିଯା ।
କାଗଜ ଡଙ୍ଗାଟି ଆଗକୁ ଚାଲିଲା। ତା’ ସାଙ୍ଗ ଘର ପାଖରେ ଅଟକିଗଲା । ତା’ ସାଙ୍ଗ ମାନୁ ଡଙ୍ଗାଟିକୁ ଗୋଟେଇନେଲା । ଦେଖିଲା ଡଙ୍ଗାଟି ବଢିଆ ହେଇଛି । ଓଦା ହେଇଯାଇଛି । ଦେଖୁ ଦେଖୁ ତାହାର ନଜର ପଡିଲା ନିଜ ହସ୍ତାକ୍ଷର ଉପରେ । ଚମକିପଡ଼ିଲା । ଏଇଟା ତ ଗୁରୁଜୀ ଦେଇଥିବା ଗଣିତର ଉତ୍ତର । କାଲି ଗୁରୁଜୀ ପଚାରିବେ । ପଢାଘରକୁ ଯାଇ ଦେଖିଲା ଗଣିତ ଖାତା ନାହିଁ । ମନେପକେଇଲା ।
ଆରେ…ଆରେ…ସାନୁ ତ ଗଣିତ ଖାତା ମାଗିନେଇଥିଲା, ଉତ୍ତର ଲେଖିବ ବୋଲି । ସେ ଖାତାରୁ କାଗଜ ଚିରି ଡଙ୍ଗା ବନେଇଛି । ମୁଁ ଏବେ କରିବି କ’ଣ ? କାଲି ଗୁରୁଜୀଙ୍କୁ କି ଉତ୍ତର ଦେବି ? ଅଯଥାରେ ଗାଳି ଖାଇବି । ମୁହଁ ଶୁଖେଇବସିଲା ମାନୁ ।
ବର୍ଷା ଛାଡ଼ିଗଲା । ମାନୁ ଆଉ ଡେରି ନକରି ସାନୁ ଘରେ ପହଞ୍ଚିଲା । ରାଗରେ ବହେ ଗାଳିକଲା । ହାତ ଉଠେଇଲାବେଳେ ସାନୁର ବୋଉ କହିଲେ – କ’ଣ ହେଇଛି ମାନୁ ?
ମାନୁ କହିଲା – ମାଉସୀ, ସାନୁକୁ ପାଠ ଆସୁନି ବୋଲି ମୋ ଗଣିତ ଖାତା ଆଣିଥିଲା । ମୋ ଗଣିତଖାତାରୁ କାଗଜ ଚିରି ଡଙ୍ଗା ତିଆରିକରିଛି ।
ସାନୁର ବୋଉ କହିଲେ – ତୁ କେମିତି ଜାଣିଲୁ ? ମାନୁ କହିଲା – ଏଇ ଦେଖୁନ, ଏ କାଗଜଡଙ୍ଗାଟି ଓଦା ସରସର ହେଇଛିି। ଆମ ଦାଣ୍ଡଦୁଆର ପାଖରେ ଲାଗିଥିଲା । ମୁଁ ଖୁସିରେ ଧରି ଦେଖିଲି । ଭାରି ଖୁସି ହୋଇ ମୋ ଭାଇକୁ ଦେଖେଇଲି । ସିଏ ତ ଖୁସି ହେଇଗଲା । କହିଲା- ମାନୁ ଏଇଟା ତୋ ହସ୍ତାକ୍ଷର ତ ! ମୁଁ କାଲି ଗଣିତର ଉତ୍ତର ବତେଇଥିଲି, ତୁ ଲେଖିଥିଲୁ । ଏ କାଗଜ ଆସିଲା କୋଉଠୁ ? ମୁଁ ଦେଖିଲି ମୋ ହାତଲେଖା କାଗଜ, ଗଣିତ କଷା ହେଇଛି । ମୁଁ କାଲି ଗୁରୁଜୀଙ୍କୁ ଗଣିତଖାତା ଦେଖେଇବି କେମିତି ! ସିଏ ତ ମୋତେ ଗାଳିକରିବେ ।
ସାନୁ ଶୋଇବାଘରେ ଦେହରେ କମ୍ବଳ ଘୋଡେଇ ଶୋଇଥିଲା । ଜ୍ଜରରେ ଥରୁଥିଲା । ଭୟ ଆଉ ଥଣ୍ଡା ପବନରେ ତାକୁ ଜ୍ୱର ହେଇଯାଇଛି । ମାନୁ ଦେଖିଲା ତା ସାଙ୍ଗ ସାନୁ ଜ୍ୱରରେ କମ୍ପୁଛି । ମାନୁର ରାଗ କମିଗଲା, କିଛି ନ କହି ଚୁପ୍ ରହିଲା ।
ହଠାତ୍ କଲିଂ ବେଲ ଶୁଣି ସାନୁର ବୋଉ ଦୁଆରକୁ ଗଲେ, ଦେଖିଲେ ଶିଶୁମନ୍ଦିରର ଗଣିତ ଗୁରୁଜୀ । ନମସ୍କାର କଲେ । ଗୁରୁଜୀ କହିଲେ- ପ୍ରଧାନଗୁରୁଜୀଙ୍କ କଥାନୁଯାୟୀ ମୁଁ ଛାତ୍ରଛାତ୍ରୀମାନଙ୍କ ଘର ବୁଲୁଛି, ବର୍ଷା ପରେ ପରେ କିଏ କ’ଣ କରୁଛନ୍ତି ଜାଣିବାକୁ । ସାନୁ ଠିକ୍ ଠାକ୍ ଅଛି ତ । ବର୍ଷାରେ ଭିଜିନି ତ । ଦୁଷ୍ଟାମି କରିନି ତ ।
ସାନୁର ବୋଉ କିଛି କହିପାରିଲେନି ।ଗୁରୁଜୀ ଘରଭିତରକୁ ଯାଇ ଦେଖିଲେ ମାନୁ ସାନୁପାଖରେ ବସି ସାଙ୍ଗର ମୁଣ୍ଡରେ ଓଦାପଟି ଲଗାଉଛି । ମାନୁ ଓ ସାନୁର ବୋଉ ସବୁ ସତକଥା କହିଦେଲେ । ଗୁରୁଜୀ କିଛି ସମୟ ଚୁପ ରହି ବୁଝେଇ କହିଲେ – ହଉ ବ୍ୟସ୍ତ ହୁଅନ୍ତୁନି । ସାନୁର ଦେହ ଭଲ ହେଇଯାଉ । ମାନୁକୁ କହିଲେ- ତୋ ପରିକା ଉପକାରୀ ପିଲା ଆମ ଶିଶୁମନ୍ଦିରର ଗର୍ବ । ସାନୁ ତୋ ଗଣିତ ଖାତାରୁ ଉତ୍ତର ବୁଝି ଲେଖିବାକୁ ରଖିଥିଲ। ତରବର ହୋଇ ଖାତାରୁ କାଗଜ ଚିରିଦେଲା । ସେ ଜାଣିପାରିଲାନି ତୋ ଗଣିତଖାତା ବୋଲି । ସେ ତ ଦୁଷ୍ଟ ପିଲା । ପାଠ ଆସେନି ତ ତେଣୁ ତୋଅଠୁ ଖାତା ଆଣିଥିଲା । ପିଲାଳିଆ ଢଙ୍ଗରେ ପାଣି ସୁଅରେ ଡଙ୍ଗା ଭସେଇବ ବୋଲି ଖାତାରୁ କାଗଜ ଚିରିଦେଇା । ବର୍ଷାପାଣି ସୁଅରେ ଭସେଇଦେଲା । ହଉ…ମୁଁ କାଲି ଗଣିତଖାତା ଦେଖିବିନି । ଗୋଟିଏ ସପ୍ତାହ ସମୟ ଦେଲି । ସାନୁ ଭଲ ହେଇଗଲା ପରେ ସେ ସବୁ ଗଣିତ ଉତ୍ତର ଲେଖିଦେବ । ସେ ଭଲ ପିଲା ହେଇଯିବ । ଟିକେ ଭୁଲ୍ ପାଇଁ ସାନୁ ବହୁତ କଷ୍ଟ ପାଇଲା ।
ସାନୁର ମୁଣ୍ଡକୁ ଆଉଁଷି ଗୁରୁଜୀ ଫେରିଗଲେ ।
ମାନୁ ସାନୁକୁ ବୁଝେଇ କହିଲା ଆଉ ଦୁଷ୍ଟ ହେବୁନି । ସାନୁ ବୋଉକୁ ନମସ୍କାର କରି ନିଜ ଘରକୁ ଫେରିଗଲା ।
ଏଲ୍.ଆଇ.ଜି. ୧୫ ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର
Comments are closed.