ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏ ନେଇ ସୋମବାର ଭାରତୀୟ ପାଣିପାଗ ବିଭାଗ ଆଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
ମେ’୯ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ । ତା ପରେ ବାତ୍ୟା ରୂପ ନେଇ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସିର ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି । ମେ’ ୧୧ ତାରିଖ ସୁଦ୍ଧା ଏହା ଅଧିକ ସକ୍ରିୟ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଡକୁ ଗତି କରିବ । ତା ପରେ ଗତପଥ ପରିବର୍ତ୍ତନ କରିବ ଏବଂ ଉତ୍ତର- ଉତ୍ତରପୂର୍ବକୁ ଗତକରି ବାଂଲାଦେଶ-ମ୍ୟାମାର ଉପକୂଳ ଆଡକୁ ଗତି କରିବ ବୋଲି MeT କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାକୁ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ତେବେ ସମ୍ଭାବ୍ୟ ବାତ୍ୟା ନେଇ ଏ ପର୍ଯ୍ୟନ୍ତ ଓଡ଼ିଶା ପାଇଁ କୌଣସି ପୂର୍ବାନୁମାନ ବା ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବରୁ ସ୍ପଷ୍ଟ କରିଛନ୍ତି।
Comments are closed.