ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗରେ ନିରବ ରହୁଥିବା ରାଜ୍ୟ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରିଣୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କ ‘ବିସ୍ଫୋରଣ’କୁ ନେଇ ବଢ଼ିଲା ଚର୍ଚ୍ଚା। ପିସିସି ସଭାପତି ରେସରେ ଥିବା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ଏହି ନେତା ଏବେ ନୂଆ ପିସିସି ସଭାପତିଙ୍କ ମିଶନ ୯ରୁ ୯୦କୁ ଟାର୍ଗେଟ କରିଛନ୍ତି। ଏହାପରେ ନିରବ ଓ ଗାମ୍ଭୀର୍ଯ୍ୟ ବ୍ୟକ୍ତିତ୍ୱ ସ୍ୱଭାବର ଜଗତସିଂହପୁରର ଏହି ନେତା ହଠାତ୍ କାହିଁକି ଦଳ ବିରୋଧରେ ‘ବିସ୍ଫୋରଣ’ କଲେ ତାକୁ ନେଇ ଚର୍ଚ୍ଚା ବଢ଼ିଛି।
ଗତବର୍ଷ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶରତ ପଟ୍ଟନାୟକଙ୍କ ବିରୋଧରେ ସୋମବାର ଅସନ୍ତୋଷ ଝାଡିଛନ୍ତି ଏହି ନେତା। ଯେତେବେଳେ କି ୨୦୨୪ ବିଧାନସଭା ନିର୍ବାଚନ ପାଇଁ ନୂଆ ପିସିସି ସଭାପତି ମିଶନ ‘୯ରୁ ୯୦’ର ନାରା ଦେଇଛନ୍ତି। ପୂର୍ବରୁ ସମାନ ଧରଣର ଅସନ୍ତୋଷ ଝାଡି ଚର୍ଚ୍ଚାକୁ ଆସିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ। ଆଉ ଏବେ ଏହି ଧାରାରେ ଯୋଡି ହୋଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ପୁଅ।
ଦଳକୁ ଆଗକୁ ନେବା ପାଇଁ କାହାର ପରାମର୍ଶ ନିଆଯାଉନାହିଁ। ଯିଏ ବି ସଭାପତି ଭାବେ ନିର୍ବାଚିତ ହୋଇଛି, ତା’ଙ୍କର ଏଭଳି ସମସ୍ୟା ରହିଛି। ଏହା ହିଁ ଦଳ ପାଇଁ ସବୁଠାରୁ ବଡ଼ ସମସ୍ୟା ବୋଲି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି। ‘୯ରୁ ୯୦ ବିଧାୟକ’ ଲକ୍ଷ୍ୟ କଥା ଛାଡ଼ନ୍ତୁ, ଦଳ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାରେ ସକ୍ଷମ ହେବ କି ନାହିଁ, ସେ ନେଇ ସନ୍ଦେହ ରହିଛି ବୋଲି କହିବା ପରେ ଦଳର ସାଂଗଠନିକ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳରେ ମାତ୍ର ୯ ଜଣ ବିଧାୟକ କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ଆଶାୟୀ ରହିଛନ୍ତି। ଯେଉଁମାନେ ନିର୍ବାଚନ ମଣ୍ଡଳୀକୁ ମଜବୁତ କରୁଛନ୍ତି ସେମାନଙ୍କୁ ଟିକେଟରୁ ବଞ୍ଚିତ କରାଯାଉଛି। ସକ୍ରିୟ ହୋଇ ଦଳ ପାଇଁ କାମ କରୁଥିବା ଯୁବକମାନେ ମଧ୍ୟ କୈଣସି ସୁଯୋଗ ପାଇପାରୁନାହାନ୍ତି ବୋଲି ଚିରଞ୍ଜୀବ କହିଛନ୍ତି।
ତେବେ ଚିରଞ୍ଜୀବ ହଠାତ୍ ଏଭଳି କାହିଁକି ଦଳ ବିରୋଧରେ ବା ଦଳର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଲେ ତାହା ଏବେ ବଡ ପ୍ରଶ୍ନ। ରାଜନୀତିରେ ଯେଉଁ କେତେଜଣ ନିଜ ପରିବାରର ସମ୍ମାନ ଓ ଗାରିମାକୁ ଅଗ୍ରାଧିକାର ଦେଇ ରାଜନୀତି କରନ୍ତି ଏବଂ ବିବାଦରୁ ଦୂରରେ ରୁହନ୍ତି ସେହି ନେତାଙ୍କ ମଧ୍ୟରେ ଚିରଞ୍ଜୀବ ଅନ୍ଯତମ। ନିକଟରେ ରାଜ୍ୟ କଂଗ୍ରେସର ଯେଉଁ ବିଭିନ୍ନ ପଦ ପଦବୀରେ ନେତାଙ୍କୁ ନିଯୁକ୍ତି ମିଳିଛି ସେମାନଙ୍କ ମଧ୍ୟରେ ଚିରଞ୍ଜୀବ ବିଶ୍ୱାଳ କି ତାଙ୍କ ସାନ ଭାଇ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ନା ନାହିଁ। ଅର୍ଥାତ ରାଜ୍ୟ କଂଗ୍ରେସ ବିଶ୍ବାଳ ବ୍ରଦର୍ସଙ୍କୁ ଦଳର ସାଂଗଠନିକ ପଦ ପଦବୀରୁ ଏକ ରକମ ଆଉଟ୍ କରିଦେଇଛି।
ତେଣୁ ଚିରଞ୍ଜୀବଙ୍କ ମଧ୍ୟରେ ଅସନ୍ତୋଷ ବଢି ଥାଇପାରେ। ନଚେତ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଯେ ଏବେ କୁଆଡେ ଦୁଇ ଭାଇ ଦଳ ବଦଳ କରିବା ଯୋଜନାରେ ଅଛନ୍ତି। ତେଣୁ ଦଳ ଛାଡିବା ପୂର୍ବରୁ ଏଭଳି ବେଷାଦଗାର କରିଛନ୍ତି କି?
ତେବେ ଚିରଞ୍ଜୀବ ବିଶ୍ୱାଳଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ଶରତ ପଟ୍ଟନାୟକ ମନା କରିଦେଇଛନ୍ତି। ଏହା କଂଗ୍ରେସର ଆଭ୍ୟନ୍ତରୀଣ ମାମଲା ଏବଂ ଆମେ ଏହାର ତଦନ୍ତ କରିବୁ ବୋଲି କେବଳ ଗୋଟିଏ ଧାଡିରେ କହିଛନ୍ତି।
Comments are closed.