ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପ୍ରକାର ସେବା ସହ ଜଡିତ ଭିନ୍ନ ଭିନ୍ନ ପ୍ରକାର ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି । ଏହି କ୍ରମରେ ଆଜି ଜାଣିବା ଦୁଇଟି ଅତି ସାଧାରଣ ଅଥଚ ପ୍ରୟୋଜନୀୟ ସେବା ବିଷୟରେ । ପ୍ରଥମେ ଦୟଣାମାଳି ସେବା ଓ ଦ୍ଵିତୀୟରେ ପ୍ରସାଦ ବଡୁ ସେବା । ବେଶ ପ୍ରିୟ ଠାକୁର ଶ୍ରୀଜଗନ୍ନାଥଙ୍କ ପୁଷ୍ପ ବେଶ ସମୟରେ ତୁଳସୀ ଓ ଦୟଣା ମାଳର ପ୍ରୟୋଜନ କେତେ ତାହା ଭାଷାରେ ପ୍ରକାଶ କରିବା ଅସମ୍ଭବ। ଦୈନିକ ଓ ପର୍ବ ପର୍ବାଣୀମାନଙ୍କରେ ଫୁଲ, ତୁଳସୀ, ବେଲପତ୍ର, ଦୁବ,ଦୟଣା,ଇତ୍ୟାଦି ଦେଇଥାନ୍ତି ସେହିପରି ମାଳଚୁଳ, ଧଣ୍ଡି ପ୍ରସାଦ ଲାଗିରେ ଧଣ୍ଡି, ସୋଲ ପ୍ରଭା, ସୋଲ ମୁକୁଟ ଇତ୍ୟାଦି ଦେଇଥାନ୍ତି । ଦମନକ ଚତୁର୍ଦ୍ଦଶୀ ବା ଦୟଣା ଚୋରି ଯାତ୍ରାରେ ଏହି ସେବକ ପ୍ରଭୁ ବିଜେସ୍ଥଳୀ ଜଗନ୍ନାଥ ବଲ୍ଳଭ ମଠରେ ଉପସ୍ଥିତ ରହି ଦୟଣା ଗଛ ଉପାଡି ଥାନ୍ତି । ଏହି କାର୍ଯ୍ୟକୁ ଦୟଣା ଚୋରି ଭାବରେ ବିବେଚିତ କରାଯାଇଛି । ସେହିଭଳି ସ୍ନାନ ପୁର୍ଣିମା ପୂର୍ବରୁ ମା ଶୀତଳାଙ୍କ ମନ୍ଦିର ସମ୍ମୁଖରେ ଥିବା ସୁନା କୂଅ କୁ ଉଝାଳିଥାନ୍ତି । କାରଣ ବର୍ଷ ଯାକ ବନ୍ଦ ରହିଥିବା ଏହି କୂଅର ଶୀତଳ ଜଳରେ ଶ୍ରୀଜୀଉମାନେ ସ୍ନାନ ସମାପନ କରିଥାନ୍ତି । ଏମାନେ ଶାଢ଼ୀ ବନ୍ଧା ସେବକ ଓ ସେବାଟି ବଂଶାନୁକ୍ରମିକ ଅଟେ । ଏବେ ଆସନ୍ତୁ ଜାଣିବା ପ୍ରସାଦ ବଡୁ ସେବକମାନଙ୍କ ବିଷୟରେ । ଏମାନେ ମଧ୍ଯ ଶାଢ଼ୀ ବନ୍ଧା ବ୍ରlହ୍ମଣ ସେବକ ଓ ବଂଶାନୁକ୍ରମିକ ଭାବରେ ଏହି ସେବା କରି ଆସୁଛନ୍ତି । ଏମାନଙ୍କ ମୂଖ୍ୟ କାର୍ଯ୍ୟ ହେଲା ଶ୍ରୀମନ୍ଦିର ମଧ୍ୟରୁ ଶ୍ରୀଜୀଉମାନଙ୍କ ପ୍ରସାଦ ଇତ୍ୟାଦି ଦ୍ରବ୍ୟକୁ ରାଜ ନଅରକୁ ନେଇଥାନ୍ତି । ତାଟୁଆ ଦ୍ୱାରା ଦୈନିକ ତଥା ପର୍ବ ପର୍ବାଣୀ ତlଟମାନ ଯାହା ମନ୍ଦିରରୁ ନଅରକୁ ଯିବା କଥା ତାହା ଏହି ପ୍ରସାଦ ବଡୁ ସେବକ, ମହାସୁଆରଙ୍କଠାରୁ ବୁଝି ନେଇ ନିଜର ସିଲ ଦେଇ ନଅରକୁ ପଠାଇ ଥାନ୍ତି । ସେହିପରି ପରମ୍ପରା ମୁତାବକ ନଅରକୁ ସମୟ ସମୟରେ ଯେଉଁ ପ୍ରସାଦ ଚନ୍ଦନ ଇତ୍ୟାଦି ଘଣ୍ଟାଛତା କାହାଳି ବାଜି ନିଆହୁଏ । ସେସବୁ ନିଜେ ପ୍ରସାଦ ବଡୁ ସେବକ ନେଇଥାନ୍ତି । ତେଣୁ ଶ୍ରୀମନ୍ଦିର ଓ ରାଜ ନଅର ମଧ୍ୟରେ ପ୍ରସାଦ ପହଞ୍ଚେଇବାର ସମ୍ପୂର୍ଣ ଦାୟିତ୍ୱ କେବଳ ପ୍ରସାଦ ବଡୁ ସେବକଙ୍କ ଉପରେ ନ୍ୟସ୍ତ ଥାଏ । ଆଗାମୀ ଅଧ୍ୟାୟରେ ଆହୁରି ଅନେକ ଏହିଭଳି ସ୍ୱତନ୍ତ୍ର ସେବା ଓ ସେବକଙ୍କ ବିଷୟରେ ଜାଣିବା । ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
କାହାର ଚିତ୍ତେ ତ୍ୟାଗ ଭୋଗ
କେ ଅଷ୍ଟ ଐଶ୍ୱର୍ଯ୍ୟ ସଂଯୋଗ ।
କେ ବ୍ରତ ନିୟମ ଆଚରେ
ଏମନ୍ତ ଅନେକ ପ୍ରକାରେ ।
କର୍ମ ସାଧନ୍ତି ଫଳ ଲୋଭେ
ଗୁଣ ବୈଭବ କ୍ରିୟା ଦମ୍ଭେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.