ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେବକ ପାଲଟିବା ଅତ୍ୟନ୍ତ ଦୁର୍ଲଭ ବ୍ୟାପାର। କିନ୍ତୁ ଶ୍ରୀଜଗନ୍ନାଥଙ୍କ ସେବା ପରମ୍ପରା ଦେଖିଲେ ମନହୁଏ ସତେ ଯେମିତି ପ୍ରତ୍ୟେକ ସେବା ଓ ତାର ପାଳନ କରୁଥିବା ପ୍ରତ୍ୟେକ ସେବକ ଏକ ଅଦୃଶ୍ୟ ଇଙ୍ଗିତରେ କାର୍ଯ୍ୟରତ ଅଛନ୍ତି। ଆଜି ଜାଣିବା ସେମିତି କିଛି ସେବକଙ୍କ ବିଷୟରେ ଯେଉଁମାନେ ନିଜର ସେବା ଦ୍ୱାରା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି କ୍ରମରେ ପ୍ରଥମେ ଆଲୋଚନା କରିବା ବଜୟନ୍ତ୍ରୀ (ବାଦ୍ୟକାର )ସେବା। ଏମାନେ ଦୈନିକ ସକାଳ ଧୂପ ଓ ସନ୍ଧ୍ୟା ଧୂପ ପରେ ବାଜା ବଜାଇଥାନ୍ତି ବର୍ଷର ସମସ୍ତ ଯାନିଯାତ୍ରା, ପର୍ବ ପର୍ବାଣୀରେ, ତଥା ବେଢା ଭିତରେ ଓ ବାହାରେ ଠାକୁରଙ୍କ ବିଜେ ନୀତି ସମୟରେ ଏହି ସେବକ ମାନେ ବାଜା ବଜାଇଥାନ୍ତି। ସେହିପରି ରଥଯାତ୍ରା, ଚନ୍ଦନଯାତ୍ରା ଆଦିରେ ରଥ ଆଗରେ ଓ ଚାପରେ ବାଜା ବଜାନ୍ତି । ଦୈନିକ ଧୂପ ସମୟରେ ନାଭିକଟା ମଣ୍ଡପରେ ବସି ବାଜା ବଜାନ୍ତି, କିନ୍ତୁ ସ୍ନାନ ପୁର୍ଣିମା ପରଠାରୁ ଘଣାଲାଗି ଦଶମୀ ଯାଏଁ ଅର୍ଥାତ ଠାକୁରମାନେ ଅଣସର ଘରେ ଥିବା ସମୟରେ ଏହି ବାଦ୍ୟ ସେବା ବନ୍ଦ ରହିଥାଏ। ଏହି ସେବକମାନେ ଖଣ୍ଡାୟତ ସେବକ ଓ ବଂଶାନୁକ୍ରମିକ ଭାବେ ଏହି ସେବା କରନ୍ତି। କିନ୍ତୁ ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି । ସେହିପରି ଅନ୍ୟ ଏକ ବିଶେଷ ସେବା ହେଲା ଶଙ୍ଖୁଆ ସେବା ବଜୟନ୍ତ୍ରୀ ସେବା ପରି ଏମାନେ ନିଜର ସେବା ଦୈନିକ ସକାଳ ଧୂପ ପଟୁଆର ବେଳେ ଜଗମୋହନରେ ତଥା ସମସ୍ତ ବିଜେ ସମୟରେ ଏବଂ ଯାନିଯାତ୍ରା, ପର୍ବ ପର୍ବାଣୀ ମାନଙ୍କରେ ଶଙ୍ଖ ବଜାନ୍ତି. ବିଶେଷ କରି ଶ୍ରୀମନ୍ଦିର ମଧ୍ୟରେ ପାଳିତ ହେଉଥିବା ବିଭିନ୍ନ ବିବାହ ଉତ୍ସବ ରେ ଶଙ୍ଖ ବଜାନ୍ତି। ଶଙ୍ଖଭଳି ଏକ ଶୁଭ ବାଦ୍ୟର ଆବଶ୍ୟକତା ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ ଥିବା ସମୟରେ କୋୖଣସି କାରଣ ବଶତଃ ଏହି ସେବା ବର୍ତ୍ତମାନ ବନ୍ଦ ହୋଇ ଯାଇଛି। କିନ୍ତୁ କାହାଳିଆ ସେବା ଚାଲୁ ରହିଛି, ଆଗାମୀ ଅଧ୍ୟାୟରେ ସେହି ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
କର୍ମହୁଁ ନାହିଁ ଅନ୍ୟ ଦେବ
ଭୋ ତାତ କର୍ମ ପାଦେ ସେବ ।
ଯେ ପ୍ରାଣୀ ନିଜ କର୍ମ ଛାଡି l
ଅନ୍ୟ ଜୀବିକା ଲୋଭେ ଲୋଡି।
ଦୁର୍ଗତି ପଥ ଆବୋରନ୍ତି
ଯେସନେ ବିଟପୀ ଯୁବତୀ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.