Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବାରେ ନିଯୁକ୍ତ ସମସ୍ତ ସେବକଙ୍କ ସ୍ୱତନ୍ତ୍ର ପରିଚୟ ସହ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ରହିଛି। ନାମକରଣରେ ମଧ୍ଯ ରହିଛି ବିବିଧତା। ଆସନ୍ତୁ ଆଜି ଜାଣିବା ସେମିତି କିଛି ସେବକଙ୍କ ବିଷୟରେ ଯାହାଙ୍କ ନାମ ସୂଚାଇ ଦିଏ ତାଙ୍କର କାର୍ଯ୍ୟ। ଯଥା:- ବଜୟନ୍ତ୍ରୀ ବା ବାଦ୍ୟକାର। ଏମାନେ ଖଣ୍ଡାୟତ ସେବକ, ଶାଢ଼ୀବନ୍ଧା ନୁହଁନ୍ତି କିନ୍ତୁ ସେବା ବଂଶାନୁକ୍ରମିକ ଅଟେ। ମୁଖ୍ୟତଃ ଏମାନେ ଦୈନିକ ସକାଳ ଧୂପ ଓ ସନ୍ଧ୍ୟା ଧୂପ ପରେ ବାଜା ବଜାନ୍ତି। ସେହିପରି ବର୍ଷ ସାରା ପ୍ରତ୍ୟେକ ଯାନିଯାତ୍ରା, ପର୍ବ ପର୍ବାଣୀରେ ଶ୍ରୀମନ୍ଦିର ବେଢା ମଧ୍ୟରେ ତଥା ଶ୍ରୀମନ୍ଦିର ବାହାରେ ବାଜା ବଜାନ୍ତି। ଏହାଛଡା ରଥଯାତ୍ରାରେ, ଚନ୍ଦନଯାତ୍ରା ଆଦିରେ ମଧ୍ଯ ବାଜା ବଜାଇଥାନ୍ତି। ଦୈନିକ ଅନ୍ୟାନ୍ୟ ଧୂପ ସମୟରେ ନାଭିକଟା ମଣ୍ଡପରେ ବସି ବାଜା ବଜାନ୍ତି। କେବଳ ଅଣସର ସମୟରେ ସ୍ନାନ ପୂର୍ଣ୍ଣିମାଠାରୁ ଘଣା ଲାଗି ଦଶମୀ ଯାଏଁ ଏହି ସେବା ବନ୍ଦ ରହେ। ସେହିପରି ଅନ୍ୟ ଏକ ପ୍ରଚଳିତ ସେବା ହେଲା କାହାଳିଆ ସେବା ଯାହା ଶାଢ଼ୀ ବନ୍ଧା ଶୁଦ୍ର ସେବକ। ଏହି ସେବା ମଧ୍ଯ ବଂଶାନୁକ୍ରମିକ ଅଟେ। ଏମାନେ ମୂଖ୍ୟ ସେବା ହେଲା ପ୍ରତିଦିନ ବଡ଼ ସିଂହାର ପୁଷ୍ପାଞ୍ଜଳି ପହୁଡ଼ ସମୟରେ କାହାଳି ବଜାନ୍ତି।

ବର୍ଷ ତମାମ ଯେତେ ଘଣ୍ଟ, ଛତା, କାହାଳି ସହ ଭୋଗ ଆସେ ସେଥିରେ କାହାଳି ବଜାଇଥାନ୍ତି l ସ୍ନାନଯାତ୍ରା, ରଥଯାତ୍ରା, ଝୁଲଣ ଯାତ୍ରା ସମୟରେ ପ୍ରତ୍ୟେକ ଭିତର ଓ ବାହାର ବିଜେରେ କାହାଳି ବଜାନ୍ତି। ତତସହିତ ବିମଳାଙ୍କ ଷୋଳ ପୂଜା ମଧ୍ଯରେ ସକାଳ ଧୂପ ଓ ସନ୍ଧ୍ୟା ଧୂପ ଆଳତି ଅବସରରେ କାହାଳି ବଜାନ୍ତି। ଅନ୍ୟାନ୍ୟ ପାର୍ଶ୍ଵ ଦେବା ଦେବୀଙ୍କ ପାଳିତ କିଛି ଉତ୍ସବରେ, ବେଣ୍ଟ ନୀତିରେ ବେଢ଼ ପରିକ୍ରମାରେ କାହାଳି ବଜାନ୍ତି। ପ୍ରତ୍ୟେକ ମଙ୍ଗଳାର୍ପଣରେ, ଜନ୍ମ ବନ୍ଦାପନାରେ, ମକର ଓ ସାତପୁରୀ ତାଡ଼ ଆସିବା ସମୟରେ, ଅଣସର ପଟି ଆସିବା ସମୟରେ, ମଠରୁ ବେଶ ସାମଗ୍ରୀ, ସୋଲ ଚିତା ଆଣିବା ସମୟରେ ଏହି କାହାଳି ବାଜେ। ତତ ସହିତ ଗୁରୁବାର ବନ୍ଦାପନା, ଏକାନ୍ତ ବିଜେ ଓ ପ୍ରତ୍ୟେକ ଆଜ୍ଞା ମାଳ ଯିବା ସମୟରେ, ନବକଳେବରରେ ଦାରୁ ଆସିଲା ସମୟରେ ମଧ୍ଯ କାହାଳି ସେବାର ଆବଶ୍ୟକତା ଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଏହିଭଳି ଆଉ କିଛି ସେବକଙ୍କ ବିଷୟରେ ଆଲୋଚନା କରିବା, ଏବେ କରିବା ଆରାଧନା ଓ ଭାଗବତ ପଠନ ଠିକ ସବୁଦିନ ପରି।

ମୋ ସର୍ବ ଗୁଣେ ଯାର ମନ
ତାର ସମୀପେ ସର୍ବ ଧନ ।
ମୋ ଭାବେ ଚିତ୍ତ ଯାର ନାହିଁ
ସଂସାରେ ଦରିଦ୍ରଟି ସେହି ।
ଅଜିତ ଇନ୍ଦ୍ରିୟ ଯାହାର
ସଂସାରେ କୃପଣ ସେ ନର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.