ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପୁନର୍ଲିଖନ କରି କରି
ସବୁ ସମୟ ଦେଲେ ସାରି
ମନରେ ନୂତନ ଭାବନା
ପଶିବା ପାଇଁ କରେ ମନା
ପୁନର୍ଲିଖିତ ବାକ୍ୟାବଳି
ଲେଖି ଯେ ସୁଖେ ଯାଏଚଳି
ଆବିଷ୍କାର କି ଉଦ୍ଭାବନ
ତା ପାଇଁ ହୁଏ ଦିବାସ୍ୱପ୍ନ
ହାତକୁ ମିଳେନି ବିଶ୍ରାମ
ମନରେ ଜାତ ହୁଏ ଭ୍ରମ
ନିଜକୁ ନିଜେ କରି ଯଂତ୍ର
ଘୋଷେ ଘଷରା ଯେତେ ମଂତ୍ର
ହାଟର ଚାହିଦା ପୂରଣ
ନିମଂତେ କରିଲେ ଲିଖନ
ବଢ଼େନି ସ୍ବଭାଷାର ମାନ
ହାତକୁ ଆସେ ତୁଚ୍ଛ ଧନ
ଧନରୁ ଦ୍ରବ୍ୟ କିଣି କରି
ଘରଟେ ଦେଲେ ସୁଦ୍ଧା ଭରି
ମନଟି ସର୍ବଦା ଗରିବ
କେ ଅବା କଅଣ କରିବ ?
ବସ୍ତୁ ଭୋଗରେ ରହି ବ୍ୟସ୍ତ
କେହି ହୁଏନି ଭାଷାସକ୍ତ
ତାହାର ଲେଖା କାମଚଳା
ହୋଇ ବୁଡ଼ାଏ ଭାଷା ଭେଳା
ଯଶସ୍ବୀ, ଧନବଂତ ଲୋକ
ଆପେ ନ ପାଆଂତି ପାଠକ
ବାଂଟିଲେ ନିଜ ଲେଖା ବହି
ସାହିତ୍ୟ ତିଷ୍ଠି ପାରେନାହିଁ
ରଚନା ନ ହେଲେ ଉତ୍କୃଷ୍ଟ
ସମୟକ୍ରମେ ହୁଏ ନଷ୍ଟ
ଏପରି କଲେ କାଳ କ୍ଷୟ
ଭାଷାଟେ ଭୋଗେ ପରାଜୟ