ଭୁବନେଶ୍ୱର: ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଅବସରରେ, ଗୁରୁବାର ଦୁବାଇର ହୋଟେଲ୍ ଲି ମେରିଡିନ୍ଠାରେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ସନ୍ଧ୍ୟା ‘ଓଡ଼ିଶା ଦିବସ’ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁଏଇରେ ପ୍ରବାସୀ ଓଡ଼ିଆଙ୍କ ସମେତ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଭର୍ଚୁଆଲ୍ ଭାବେ ସମ୍ବୋଧିତ କରିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବିମାନ ଉଡ଼ାଣ ଆରମ୍ଭ ଘୋଷଣାର ଭିଡିଓ କ୍ଲିପ୍ ସହିତ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏହା ପରେ ଉଦଘାଟନୀ ବିମାନରେ ବସିଥିବା ଲୋକମାନେ ଉପସ୍ଥିତ ଥିଲେ।
ରାଜ୍ୟର ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ, ଦୁବାଇରେ ଅବସ୍ଥାପିତ ଭାରତୀୟ ମହାବାଣିଜ୍ୟ ଦୂତ ଡ. ଅମନ ପୁରୀ ଗ୍ଲୋବାଲ ସିଟି ଦୁବାଇ ଓ ଓଡ଼ିଶା ମଧ୍ୟରେ ସିଧାସଳଖ ଯୋଗାଯୋଗ ଆରମ୍ଭ ହେବା ଦ୍ୱାରା କିଭଳି ରାଜ୍ୟ ପାଇଁ ଅଭୂତପୂର୍ବ ସୁୟୋଗ ସୃଷ୍ଟି ହେବ ଏବଂ ରାଜ୍ୟ ବିଶ୍ୱ ସହ ଯୋଡ଼ି ହେବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ସିଧାସଳଖ ଯୋଗାଯୋଗର ଲାଭ ଉଠାଇ ଓଡ଼ିଆ ଓ ୟୁଏଇ ଓ ମଧ୍ୟପ୍ରାଚ୍ୟର ପ୍ରବାସୀ ଭାରତୀୟମାନେ ‘ଇଣ୍ଡିଆଜ୍ ବେଷ୍ଟ କେପ୍ଟ ସିକ୍ରେଟ୍’ ପରିଦର୍ଶନ ଓ ଅନୁଧ୍ୟାନ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ବକ୍ତବ୍ୟ ରଖିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T) ଭି.କେ.ପାଣ୍ଡିଆନ୍ ଏହି ଅଧିବେଶନରେ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସରକାରଙ୍କ ପରିବର୍ତ୍ତନ ଏଜେଣ୍ଡା ବିଷୟରେ ଉଲ୍ଲେଖ କରିଥିଲେ ଯାହା ପ୍ରଯୁକ୍ତି, ଟିମ୍ ଓ୍ୱାର୍କ, ସମୟାନୁବର୍ତ୍ତିତା ଏବଂ ପାରଦର୍ଶିତା ଉପରେ ନିର୍ଭର କରେ ଯାହା ପରିବର୍ତ୍ତନକୁ ଆଗେଇ ନେଇଥାଏ ବୋଲି କହିଛନ୍ତି।
ଓଡ଼ିଶା ପରିବାରର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାରା ବିଶ୍ୱରେ ପ୍ରବାସୀ ଓଡିଆଙ୍କୁ ଏକାଠି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରିଥିଲେ ଓଡିଶା ପରିବାର।
Comments are closed.