ଭୁବନେଶ୍ୱର: ନିର୍ବାଚନ ବୈତରଣୀ ସଫଳତାର ସହ ପାର ହେବାକୁ ହେଲେ ଜନସମ୍ପର୍କ ନିହାତି ଆବଶ୍ୟକ। ଯେଉଁଥିପାଇଁ ପଦଯାତ୍ରାକୁ ବିଭିନ୍ନ ସମୟରେ ଏକ ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯାଏ। ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏହାର ଏକ ବଡ଼ ଉଦାହରଣ ଭାବେ ନିଆଯାଉଛି।
ଏପରିକି କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟର ଶ୍ରେୟ ଭାରତ ଯୋଡୋ ଯାତ୍ରାକୁ ଦିଆଯାଉଛି। ଯେଉଁ ଯାତ୍ରା ପାଇଁ କଂଗ୍ରେସ ଲୋକଙ୍କ ସହ ଯୋଡି ହେବାର ମୂଳଦୁଆ ପଡିଲା ଓ ଅନ୍ୟାନ୍ୟ କାରଣ ସବୁ ଯୋଗୁ ଦଳ କର୍ଣ୍ଣାଟକରେ ଜିତିଲା ବୋଲି କୁହାଯାଉଛି।
ତେଣୁ ଆଗକୁ ଅନେକ ରାଜ୍ୟ ଓ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ମଧ୍ୟ ଏଭଳି ଏକ ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି। ଦେଶବ୍ୟାପୀ ବିଜେପି ଏକ ବିଶେଷ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବ। ମୋଦି ସରକାର ଶାସନର ୯ ବର୍ଷ ପୂର୍ତ୍ତି ଅବସରରେ ଏହି ଆୟୋଜନ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ ମାସେ ଧରି ଏହା ଚାଲିବ। ଚଳିତ ମାସ ୩୦ ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ଦେଶର ୪୦୦ ଲୋକସଭା ସିଟକୁ ବିଜେପି ଫୋକସ କରୁଥିବା ବେଳେ ସମସ୍ତ ଲୋକସଭା କ୍ଷେତ୍ରରେ ମେଗା ଜନସମ୍ପର୍କ ଅଭିଯାନ ଆୟୋଜିତ ହେବ। କିନ୍ତୁ ଚାରି ଶହ ଲୋକସଭା ସିଟ ଉପରେ ଦଳର ଫୋକସ ରହିବ।
ନିର୍ବାଚନ ହେବାକୁ ଥିବା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ କିମ୍ବା ତେଲେଙ୍ଗାନା ମଧ୍ୟରୁ କୌଣସି ଏକ ରାଜ୍ୟରୁ ପ୍ରଧାନମନ୍ତ୍ରୀ ମୋଦି ମେ ୩୦ ତାରିଖରେ ଏକ ବଡ଼ ରାଲି କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି କୁହାଯାଉଛି।
ଏକ ମାସ ଧରି ହେବାକୁ ଥିବା ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଶୋଭାଯାତ୍ରାରେ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ଦଳର ଅନ୍ୟ ଟାଣୁଆ କେନ୍ଦ୍ରୀୟ ନେତା ଓ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଲିରେ ଯୋଗ ଦେବେ।
ଦେଶରେ ଏଭଳି ୫୧ ଟି ବଡ଼ ରାଲି କରାଯିବ ବୋଲି ସୂଚନା ମିଳିଛି। ଏଥିସହିତ ଜୁନ ୨୩ ତାରିଖରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥିରେ ମୋଦି ଭିଡିଓ କନ୍ଫରେନସିଙ୍ଗ ଜରିଆରେ ବିଜେପିର ୧୦ ଲକ୍ଷରୁ ଅଧିକ ବୁଥ କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିବେ।
ମାସେ ଧରି ଚାଲିବାକୁ ଥିବା ଏହି ଜନସମ୍ପର୍କ ଅଭିଯାନ ମଧ୍ୟରେ ଦଳୀୟ ନେତାମାନେ ଦେଶର ଏକ ଲକ୍ଷ ବିଶିଷ୍ଟ ଓ ପ୍ରଭାବଶାଳୀ ପରିବାର ସଦସ୍ୟଙ୍କ ସହ ମିଶି କଥା ହେବେ। ବିଶିଷ୍ଟ ଖେଳାଳି, ଉଦ୍ୟୋଗପତି, କଳାକାର ଓ ଦେଶ ପାଇଁ ସହିଦ ହୋଇଥିବା ପରିବାରକୁ ଭେଟିବେ ବିଜେପି ନେତା। ପ୍ରତି ଲୋକସଭା କ୍ଷେତ୍ରରେ ଏଭଳି ୨୫୦ ପରିବାର ସହ ସମ୍ପର୍କ ସ୍ଥାପନ କରିବାକୁ ଯୋଜନା କରିଛି ଦଳ।
ଏପରିକି ମେ ୩୦ ତାରିଖ ଅଭିଯାନ ଆରମ୍ଭ କରିବା ପୂର୍ବଦିନ ଅର୍ଥାତ ୨୯ ତାରିଖରେ ସାରା ଦେଶରେ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଯେଉଁ ରାଜ୍ୟରେ ବିରୋଧୀ ଦଳରେ ବିଜେପି ରହିଛି ସେଠାକାର ବିରୋଧୀ ଦଳ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବେ।
ଏହି ଅଭିଯାନ ମାଧ୍ୟମରେ ଏକ ବଡ଼ ବାତାବରଣ ସୃଷ୍ଟି କରିବାକୁ ବିଜେପି ଯୋଜନା କରିଛି। ଏହି କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ଯୋଜନା କରିଛି ଦଳ। ଜୁନ ୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବିଜେପି ନେତାମାନେ ବିଭିନ୍ନ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବେ।
ଦଳର ସବୁ ମୋର୍ଚ୍ଚା ଏହି ଅଭିଯାନକୁ ସଫଳ କରିବାକୁ କାର୍ଯ୍ୟ କରିବେ ବୋଲି ଯୋଜନା ହୋଇଛି। ଏହି ଅବସରରେ ବିଜେପି ଜୁନ ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଘର ଘର ସମ୍ପର୍କ ଅଭିଯାନ ମଧ୍ୟ କରିବ। ଏହି ଅଭିଯାନ ରେ ବିଜେପି ନେତାମାନେ ମୋଦି ସରକାରଙ୍କ ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଲୋକଙ୍କୁ ଜଣାଇବେ।
ମୋଦି ସରକାରଙ୍କ ଦ୍ଵାରା କରାଯାଇଥିବା ଯୋଜନା ଲୋକଙ୍କୁ କିଭଳି ଲାଭ ପହଞ୍ଚାଇଛି ସେ ସମ୍ପର୍କରେ ବିଜେପି ନେତା ଲୋକଙ୍କୁ ଅବଗତ କରାଇବେ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏଭଳି ବଡ଼ ଯୋଜନା କରିଛି।
ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ରାହୁଲ ବ୍ୟାପକ ଲୋକପ୍ରିୟତା ସାଉଁଟିବା ସହ ନିର୍ବାଚନ ଜିତିବାରେ ମଧ୍ୟ ଏହାର ବଡ଼ ଭୂମିକା ରହିଛି। ତେଣୁ ଏହାକୁ କାଉଣ୍ଟର କରିବାକୁ ବିଜେପି ଏଭଳି ଯୋଜନା କରିଥିବା କୁହାଯାଉଛି।
କିନ୍ତୁ ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ କଂଗ୍ରେସ ଏହାକୁ ବଡ଼ ଅସ୍ତ୍ର କରିଛି। ତେଣୁ ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ଏହି ପ୍ରସଙ୍ଗକୁ ବିଜେପି କିଭଳି ସମ୍ମୁଖୀନ ହେବ ତା ଉପରେ ନଜର।
Comments are closed.