Latest Odisha News

BREAKING NEWS

‘ଇଡି’କୁ ସୁପ୍ରିମକୋର୍ଟ ଝଟକା, ବିରୋଧୀ କହୁଥିଲେ ସୁପ୍ରିମକୋର୍ଟ ଚେତାବନୀ ଦେଲେ

ଭୁବନେଶ୍ୱର: ଦେଶରେ ଅଣବିଜେପି ଶାସିତ ରାଜ୍ୟଗୁଡିକରେ ସିବିଆଇ ଓ ଇଡିର ଉଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ସବୁବେଳେ ଅଭିଯୋଗ ହୋଇଆସିଛି। ବିରୋଧୀଙ୍କୁ ଦମନ କରିବା ପାଇଁ ବିଜେପି ସିବିଆଇ ଇଡି ଆଦି ସଂସ୍ଥାକୁ ଅସ୍ତ୍ର କରିଥିବା କେବେଠୁ ବିରୋଧୀ ଅଭିଯୋଗ କରି ଆସୁଛନ୍ତି।

ଆଗକୁ ନିର୍ବାଚନ ଥିବାରୁ ଏହି ପ୍ରକ୍ରିୟାକୁ କେନ୍ଦ୍ରର ଶାସକ ଦଳ ବିଜେପି ତୀଵ୍ର କରିଥିବା ଅଭିଯୋଗ ହୋଇଥିବା ବେଳେ ଛତିଶଗଡ଼ରେ ଏ ସମ୍ପର୍କିତ ଏକ କଥାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ।

ଏହି ମାମଲାକୁ ନେଇ ଇଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟ ଗ୍ରହଣ କରିପାରି ନାହାନ୍ତି। ଏପରିକି ଇଡିକୁ ଦେଶର ସର୍ବୋଚ୍ଚ କୋର୍ଟ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ମାମଲାକୁ ଅସ୍ତ୍ର କରି ରାଜ୍ୟରେ ଅଯଥାରେ ସୃଷ୍ଟି କରାଯାଉଥିବା ଭୟର ବାତାବରଣକୁ ବନ୍ଦ କରିବାକୁ ଇଡିକୁ ସୁପ୍ରିମକୋର୍ଟ ଶୁଣାଇ ଦେଇଛନ୍ତି।

ଛତିଶଗଡ଼ରେ ଦୁଇ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ପ୍ରସଙ୍ଗରେ ଇଡି ଖୋଳତାଡ଼ କରୁଛି। ଏହି ଘଟଣାରେ ଇଡି ରାୟପୁର ମେୟରଙ୍କ ଭାଇ ଅନବର ଢେବରଙ୍କ ସମେତ ଅବକାରୀ ବିଭାଗର ସଚିବ ଅରୁଣପତି ତ୍ରିପାଠୀ ଓ ଅନ୍ୟ ମାନଙ୍କୁ ଗିରଫ କରିଛି।

ଏଥିସହିତ ମଦ ବେପାରୀଙ୍କୁ ଲାଇସେନ୍ସ ପ୍ରଦାନ, ନକଲି ହୋଲୋଗ୍ରାମ ପାଇଁ କୋଟି କୋଟି ଟଙ୍କାର ଡିଲ ହୋଇଥିବା ଅଭିଯୋଗରେ ଇଡି ଖୋଳତାଡ଼ କରିବା ସହ ପଚରାଉଚରା ଜାରି ରଖିଛି। ଅନବର ଢେବରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ଆବେଦନର ଶୁଣାଣି କରି ଇଡିର ତଦନ୍ତ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ଖୁସି ନ ଥିବା ପ୍ରକାଶ କରିଛନ୍ତି।

ଅବକାରୀ ବିଭାଗର ୫୨ ଜଣ ଅଧିକାରୀଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ତଦନ୍ତ ସମୟରେ ସେମାନଙ୍କୁ ଶାରିରୀକ, ମାନସିକ ସ୍ତରରେ ଇଡି ନିର୍ଯାତନା ଦେଇ ଚାଲିଛି। ଏପରିକି ସେମାନଙ୍କ ପରିବାର ସଦସ୍ୟଙ୍କୁ ଧମକ ଦିଆଯିବା ସହ ସାଧା କାଗଜ ଓ ପୂର୍ବରୁ କିଛି ଲେଖା ଥିବା କାଗଜରେ ଦସ୍ତଖତ ଦେବାକୁ କୁହାଯାଉଥିବା ଅଭିଯୋଗ ହୋଇଛି।

ଏପରିକି ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାଁ ନେବାକୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଆଗକୁ ଛତିଶଗଡ଼ରେ ନିର୍ବାଚନ ଥିବାରୁ ଇଡି ଶାସକ ଦଳ ସମେତ ସରକାରୀ କର୍ମଚାରୀଙ୍କୁ ବି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଇଡି ବିରୋଧରେ ବାରମ୍ବାର ଧମକାଇବା ଓ ହଇରାଣ କରିବା ଆଦି ଅଭିଯୋଗ ଆଣିଛନ୍ତି। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୪୦ ପୃଷ୍ଠାର ଏକ ପତ୍ରରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।

ଇଡିର ଏହି ଉଦ୍ୟମ ରାଜ୍ୟରେ ସରକାରକୁ ଅସ୍ଥିର କରିବା ପାଇଁ ଏକ ପ୍ରାୟୋଜିତ ଉଦ୍ୟମ ବୋଲି କୁହାଯାଇଛି। ଇଡି ଦ୍ୱାରା କରାଯାଉଥିବା ଏହି ତଦନ୍ତ ଇଡିର ପରିସରଭୁକ୍ତ ନୁହେଁ ଓ ବେଆଇନ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହା ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ଅଭିଯୋଗ ହୋଇଛି। ସେପଟେ ଛତିଶଗଡ଼ରେ ସରକାରୀ ମଦ ଦୋକାନରେ ୩୦ ରୁ ୪୦ ପ୍ରତିଶତ ଅବୈଧ ରୂପେ ଦେଶୀ ମଦ ବିକ୍ରି ହେଉଥିବା ଇଡି ନିଜ ତଦନ୍ତ ରିପୋର୍ଟରେ ପ୍ରକାଶ କରିଛି।

ଗତ ୩ ବର୍ଷରେ ଏହି ମାଧ୍ୟମରେ ରାଜ୍ୟବାସୀଙ୍କର ଦୁଇ ହଜାର କୋଟି ଟଙ୍କା ହଡପ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ଆଗକୁ ଛତିଶଗଡ଼ ନିର୍ବାଚନ ଥିବାବେଳେ ଭୁପେଶ ବଘେଲଙ୍କ ଲୋକପ୍ରିୟତାକୁ ନେଇ ଚର୍ଚ୍ଚା ହେଉଛି। ଏପରିକି ବିଜେପିର ଟାଣୁଆ ନେତା ନନ୍ଦ କୁମାର ସାଏ କିଛି ଦିନ ତଳେ କଂଗ୍ରେସରେ ମିଶିଛନ୍ତି। ଏଭଳି ସ୍ଥିତିରେ ଇଡିର ଏଭଳି କାର୍ଯ୍ୟକୁ ନେଇ ରାଜ୍ୟ ସରକାରଙ୍କ ଅଭିଯୋଗ ଓ ସୁପ୍ରିମକୋର୍ଟ ଇଡିକୁ ଚେତାବନୀ ଦେବା ଘଟଣାକୁ ବେଶ ରୋଚକ କରିଛି।

Leave A Reply

Your email address will not be published.