Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିବା ଘଟଣା: ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ବିଜେପି

ବାରିପଦା: ଆଜି ସକାଳୁ ସକାଳୁ ଶୂନ ଶାନ ବାରିପଦା। ଦୋକାନ ବଜାର ବନ୍ଦ। ୧୨ ଘଣ୍ଟା ପାଇଁ ବନ୍ଦ ରହିଛି ମୟୂରଭଞ୍ଜ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍‌ ପାଇଁ ବିଜୁଳି କଟିବା ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।ଏହି ଡାକରା ଦେଇଛି ବିଜେପି। ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ବନ୍ଦ ପ୍ରଭାବରେ ସକାଳୁ ବାରିପଦାରେ ସମସ୍ତ ଦୋକାନ ବଜାର ବନ୍ଦ ଓ ଖାଁ ଖାଁ ଲାଗୁଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଗାଡ଼ିଚଳାଚଳ ବନ୍ଦ କରୁଛନ୍ତି।

ଏଥିସହିତ କପ୍ତିପଦା ଉପଖଣ୍ଡ ଉଦଳାରେ ମଧ୍ୟ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଉଦଳାରେ କୋର୍ଟ, କଚେରୀ, ଦୋକାନ ବଜାର ଓ ଗାଡ଼ିଚଳାଚଳ ସବୁ ବନ୍ଦ ରହିଛି। ରାଷ୍ଟ୍ରପତି ଭାଷଣ ଦେବା ବେଳେ ଲାଇନ କଟିଯିବା ଘଟଣାକୁ ଏତେ ଦିନ ବିତି ଯାଇଥିଲେ ବି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ଏଥିପାଇଁ ୬ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଛି ବୋଲି ଉଦଳା ବରିଷ୍ଠ ନାଗରିକ ମଞ୍ଚ କହିଛି। ମଞ୍ଚ ଆହୁରି କହିଛି ଯେ ଯଦି ଜିଲ୍ଲା ପ୍ରଶାସନ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତ କରାଯିବ।

ସୂଚନା ଥାଉକି, ମେ’ ୪ ତାରିଖରେ ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଶେଷ ଦିନରେ ଅଥବା ମେ’ ୬ ତାରିଖରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଭାଷଣ ଦେଉଥିବା ବେଳେ ଲାଇନ୍ କଟିଯାଇଥିଲା। ଅନ୍ଧାରରେ ପ୍ରାୟ ୯ ମିନିଟ୍ ଭାଷଣ ଦେବା ପରେ ଲାଇଟ୍ ଆସିଥିଲା। ଯାହାକୁ ନେଇ ଦେଶ ବିଦେଶରେ ସମାଲୋଚନା ହୋଇଥିଲା।

Comments are closed.