ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଖୁବ ଡରିଯାଇଥଲେ ବି ସେ ଝିଅଟା ପୁଣି ତାତ୍ସଲ୍ୟ କରି କହିଲା, “ମୁଁ କିଛି ଭୁଲ୍ କହିନି । ଦେଖ ଏମାନେ କେମିତି ବ୍ୟବହାର କରୁଛନ୍ତି । ଅସଭ୍ୟ, ଅମାର୍ଜିତ…!”
ସମୀରାକୁ ଏତେ ବେଳଯାଏଁ ଅଟକେଇ ରଖିଥିବା ରୋହାନ୍ ଏଥର ଆଉ ସମ୍ଭାଳି ପାରିଲାନି । “ହେଉ ଶୁଣ! ନିଜକୁ ସମ୍ଭାଳି ଆମେ କିଛି କହୁନୁ ବୋଲି ଭାବନି ଯେ ଆମକୁ କହି ଆସେନି । ନିଜକୁ ତ କଥାବାର୍ତ୍ତା କରିବାର ସାଧାରଣ ଶିଷ୍ଟାଚାର ବି ଜଣାନାହିଁ; ସାହସ ବି ନାହିଁ ଯେ ସାମ୍ନାରେ ଆସି କଥା କହିବ… ବ୍ଲଣ୍ଡି କୋଉଠିକାର!”
ମିଛିମିଛିକା ହସି ଏଥର ଝିଅଟା କହିଲା, “ବ୍ଲଣ୍ଡି ନୁହଁ, ସ୍ୱିଟି । ମୋ’ ନାଆଁ ହେଲା ଆମାଣ୍ଡା ଚେଲସି ମ୍ୟାକେଞ୍ଜି । ଶୁଣ, ତମେ ଏ ଭଳିଆ ଲୋକଙ୍କ ସହ ମିଶିବା ଉଚିତ୍ ନୁହେଁ ।” ରୋହାନ୍ ପାଖକୁ ଲାଗି ଆସି ଆଖି ମାରି ଦେଇ ସେ ପୁଣି କହିଲା, “ଆମେ ଦୁହେଁ ବୁହତ ମଜା କରି ପାରିବା ।”
“ଏ ଶୁଣ! ଭଲ ଦଶା ଅଛି ତ ଜଲ୍ଦି ଏଠୁ ପଳା । ନ ହେଲେ ତତେ ପିଟିପିଟି ରଙ୍ଗ ଛଡ଼େଇଦେବି ।” ସମୀରା ଗର୍ଜି ଉଠିଲା । ସେ ବାଟ ଦେଇ ଯାଉଥିବା ଯିଏ ବି ଏମାନଙ୍କୁ ଦେଖିବ ସେ ଭାବିନେବ ଯେ ଏଗୁଡ଼ାକ ବଦମାସ ପିଲା । ଆମାଣ୍ଡା ଆଡ଼କୁ ବାରମ୍ବାର ଚିହିଁକି ଯାଉଥିବା ସମୀରାକୁ ରୋହାନ୍ ଅଟକେଇ ରଖିଥାଏ ଅଥଚ ତା’ ସାଙ୍ଗମାନଙ୍କ ପଛପଟେ ଥାଇ ସେ ଝିଅଟା ଏମାନଙ୍କୁ ଲଗାତାର ତାତ୍ସଲ୍ୟ କଲା ପରି କହୁଥାଏ । ସିଡ଼୍ ମଧ୍ୟ ବୀରାକୁ ଅଟକେଇ ଧରିଥାଏ, ଆଉ ଚାରିଆଡ଼େ ଜିନିଷପତ୍ରସବୁ ସେମିତି ଖେଳେଇ ହେଇ ପଡ଼ିଥାଏ ।
ଆମାଣ୍ଡା ପୁଣିଥରେ ଏମାନଙ୍କୁ ଗାଳିଦେଇ ଅଚାା ହଲେଇ ହଲେଇ ଚାଲିଗଲା; ପଛେ ପଛେ ତା’ର ଦି’ ସାଙ୍ଗ । ସମୀରା ଏଥର ବୀରା ପାଖକୁ ଆସି ଏପଟ ସେପଟ ଦେଖିବାକୁ ଲାଗିଲା କୋଉଠି କିଛି ଖଣ୍ଡିଆଖାବରା ହେଇଛି କି ନାହିଁ ।
“ମୁଁ ଠିକ୍ ଅଛି ଦି’…! ଆଃ!” ଯବଣାରେ ହଠାତ୍ ବୀରା ଚିତ୍କାର କରିଉଠିଲା ଯେତେବେଳେ ସମୀରାର ହାତ ତା’ କହୁଣୀରେ ବାଜିଗଲା । ବ୍ୟସ୍ତ ହୋଇ ସମୀରା ତାକୁ ତନ୍ନତନ୍ନ ପରୀକ୍ଷା କରିସାରି ପାଖ ଚିକିତ୍ସାକେନ୍ଦ୍ରରେ କହୁଣୀ ବ୍ୟାଣ୍ଡେଜ୍ କରେଇ ଲଞ୍ଚ ଖାଇବାକୁ ଚାରିଜଣଯାକ ଚାଲିଗଲେ । ପରେ ରୁମ୍କୁ ଫେରି ଗୋଟେ କାଉଚ୍ରେ ବସୁବସୁ ବୀରା କହିଲା, “ହେ ପ୍ରଭୁ! ଆଜି ସକାଳୁ ବୁଲିବୁଲି ମଣିଷ ପୁରା ହାଲିଆ ।” “ହଁ, ସେୟା ନୁହଁ ତ ଆଉ କ’ଣ… ହେଲେ ସିଡ଼୍ ଓ ରୋହାନ୍ – ସତରେ ଖୁବ୍ ମଜାଳିଆ । ହସିହସି ମୋ’ ପେଟ ଦରଜ ହୋଇଯାଇଛି ।”
କ୍ରମଶଃ
Comments are closed.