ଭୁବନେଶ୍ୱର: ରାଜ୍ୟ ସରକାରର ମନ୍ତ୍ରିମଣ୍ଡଳରେ ହୋଇଥିବା ଅଦଳବଦଳ ଭାରତୀୟ ଜନତା ପାର୍ଟିକୁ ପ୍ରତିହତ କରିବା ଏବଂ ୨୦୨୪ର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତିରେ ଦଳର ସଙ୍ଗଠନକୁ ମଜବୁତ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ଏହା ଏକ ଯୋଜନାବଦ୍ଧ ରଣନୀତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବା ଯୁବନେତାଙ୍କୁ ପ୍ରାଧାନ୍ୟ ଦେବା ପରିବର୍ତ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦକ୍ଷ ଓ ଅଭିଜ୍ଞ ନେତାଙ୍କୁ ରଣନୈତିକ ଦୃଷ୍ଟିରେ ଚୟନ କରିଛନ୍ତି।
ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ ଭଳି ଅଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇ ବର୍ତ୍ତମାନର ମନ୍ତ୍ରୀ ପରିଷଦ ଭିତରେ ଏକ ନୂଆ ସନ୍ତୁଳନ ହାସଲ କରିବାର ପ୍ରୟାସ ଭାବେ ଏହି ପଦକ୍ଷେପକୁ ବିବେଚନା କରାଯାଉଛି। ବିଶେଷକରି ଜୁଏଲ ଓରାମ ଏହି ଅଞ୍ଚଳରୁ ବିଜେପି ସାଂସଦ ହେବା ଏବଂ ତିନିଟି ବିଜେପିର ବିଧାୟକଙ୍କ ଉପସ୍ଥିତି ଯୋଗୁଁ ସୁନ୍ଦରଗଡ଼ର ଗୁରୁତ୍ୱ ରହିଛି। ବିଜେପିର ପ୍ରଭାବକୁ ପ୍ରତିହତ କରିବା ପାଇଁ ବିଜେଡି ଶାରଦା ନାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛି।
ପଞ୍ଚାୟତ ନିର୍ବାଚନରେ ଆମେ ୩୫ଟି ଜିଲ୍ଲା ପରିଷଦ ଜୋନରୁ ୩୩ଟିରେ ବିଜୟୀ ହୋଇଥିଲୁ ଏବଂ ସାମାନ୍ୟ ବ୍ୟବଧାନରେ ମାତ୍ର ଦୁଇଟିରେ ହାରିଥିଲୁ। ସୁନ୍ଦରଗଡ଼ରେ ଦଳର ସ୍ଥିତି ମଜଭୁତ ହୋଇଛି ବୋଲି ଶାରଦା ନାୟକ କହିଛନ୍ତି।
ସେହିପରି, ମୟୂରଭଞ୍ଜରେ ବିଜେପି ମଜବୁତ ସ୍ଥିତିରେ ରହିଛି, କାରଣ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ବର ଟୁ଼ଡୁଙ୍କ ସହ ନଅଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଛଅ ବିଜେପି ବିଧାୟକ ରହିଛନ୍ତି। ବିଜେପି ଆଡକୁ ଆଦିବାସୀ ଭୋଟର ଢଳୁିଥିବା ଆଶଙ୍କା ହୋଇଥିବାରୁ ଏହାକୁ ରୋକିବା ପାଇଁ ସୁଦାମ ମାର୍ଣ୍ଡିଙ୍କୁ ମନ୍ତ୍ରିମଣ୍ଡଳକୁ କମ୍ ବ୍ୟାକ କରାଇଛି ବିଜେଡି। ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୨ ପ୍ରତିଶତ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ।
ତେବେ ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ଗୋଟିଏ ବି ଆସନ ଜିତି ପାରିନଥିଲା।
ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର ପରେ ନେତୃତ୍ୱ ସଙ୍କଟ ଯୋଗୁଁ ଗଞ୍ଜାମରେ ବିଜେଡିର ପ୍ରାଧାନ୍ୟ ଓ ଜନାଧାର ହ୍ରାସ ପାଇଥିବା ବେଳେ ହେଭିଓ୍ୱେଟ୍ ନେତା ବିକ୍ରମ କେଶରୀ ଆରୁଖଙ୍କୁ ଦଳ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛି। ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀରେ ଆରୁଖ ଦଳୀୟ ବ୍ୟାପାର ଓ ସଙ୍ଗଠନର ତଦାରଖ କରିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, “ମହିଳା କାର୍ଡ” ଖେଳିବା ପାଇଁ ପରିଚିତ ବିଜେଡି ଏହି ମନ୍ତ୍ରିମଣ୍ଡଳ ଅଦଳବଦଳରେ କୌଣସି ମହିଳା ନେତ୍ରୀଙ୍କୁ ସାମିଲ କରିନାହିଁ। ସେହିପରି ପୁରୀ ସଂସଦୀୟ କ୍ଷେତ୍ର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରୁ କୌଣସି ପ୍ରତିନିଧି ଆସିନଥିଲେ। ସୁଶାନ୍ତ ସିଂ ଓ ନବନିର୍ବାଚିତ ବିଧାୟିକା ଦିପାଳୀ ଦାସଙ୍କ ମଧ୍ୟରେ ମତଭେଦ ଯୋଗୁ ସେମାନଙ୍କୁ ବାଦ୍ ଦିଆଯାଇଥିବା ଅନୁମାନ କରାଯାଉଛି।
କିଛି ମତପାର୍ଥକ୍ୟ ଦେଖାଦେଇପାରେ, କିନ୍ତୁ ବିଜେଡି ଭିତରେ କୌଣସି ଅନ୍ତର୍ଦ୍ୱନ୍ଦ୍ୱ ନାହିଁ। ଗଞ୍ଜାମରେ ସଙ୍ଗଠନ ଅକ୍ଷୁର୍ଣ୍ଣ ରହିଛି, ଆଗାମୀ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ବିଜେପି ସାଂସଦ ଚନ୍ଦ୍ରଶେଖର ସାହୁ ମନ୍ତବ୍ୟ ଦେଇଛନ୍ତି।
ସେପଟେ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ବୋଲି କୁହାଯାଉଛି, କାରଣ ଉଭୟ ବିଜେଡି ଓ ବିଜେପି ନିଜ ନିଜର ସ୍ଥାନ ସୁରକ୍ଷିତ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।
Comments are closed.