Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୬)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ ଇଞ୍ଜିନଟି ଭୟଙ୍କର ଭାବର ଖରାପ ହୋଇଯାଇଛି । ପ୍ରପେଲର୍‌ଟି ଠିକ୍ ଭାବରେ କାମ କରୁନି ।” ଅଣନିଃଶ୍ୱାସୀ ହୋଇ କହି ପକାଇଲେ ମିଃ. କ୍ରିଷ୍ଣମୂର୍ତ୍ତି। ପିଟରସନ୍ ଫଟୋ ଆଉ ଚା’ ରଖିଦେଇ ଠିଆ ହୋଇଗଲେ । ବ୍ୟସ୍ତ ହୋଇ ପଚାରିଲେ, “ସେଡ଼୍ରିକ୍‌ଙ୍କୁ ଖବର ଦେଲେଣି?” ସେଡ଼୍ରିକ୍ ରୋଡ଼୍ରିଗେଜ୍ ଏହି କ୍ରୁଜ୍‌ର ମୁଖ୍ୟ ମେକାନିକାଲ୍ ଇଂଜିନିୟର ।

କ୍ୟାପ୍‌ଟେନ୍ ଜାଣିଛନ୍ତି, ଯେ କୌଣସି ବଡ଼ ଧରଣର ଯାବିକ ଅସୁବିଧା ହେଉ ନା କାହିଁକି, ସେଡ଼୍ରିକ୍ ତାକୁ ଅତି ସହଜରେ ଠିକ୍ କରି ଦେଇ ପାରିବେ । ମିଃ. କ୍ରିଷ୍ଣମୂର୍ତ୍ତି ସେଡ଼୍ରିକ୍‌କୁ ଖବର ଦେଇ ସାରିଛନ୍ତି କହିବା ପରେ, କ୍ୟାପ୍‌ଟେନ୍ କହିଲେ, “ଚାଲ, ଇଂଜିନ୍ ପାଖକୁ ଯିବା । କ୍ରୁଜ୍‌ର ସ୍ପିଡ଼୍ ବିଷୟରେ ସିଧାସଳଖ ସେଡ଼୍ରିକ୍‌ଙ୍କ ସହ କଥା ହୋଇ ବୁଝିନେବା ।” ମିଃ. କ୍ରିଷ୍ଣମୂର୍ତ୍ତି ଓ କ୍ୟାପ୍‌ଟେନ୍ ଇଞ୍ଜିନ ଆଡ଼କୁ ଚାଲିଲେ ।

ଇଞ୍ଜିନ ପାଖାପାଖି ଅଞ୍ଚଳ ସେତେବେଳକୁ ନିଆଁ ଓ ଧୂଆଁରେ ଭରିଯାଇଥିଲା । କୋଇଲା କାମ ସମ୍ଭାଳୁଥିବା କର୍ମଚାରୀ ସେଠାରେ ଜମା ହୋଇ ସାରିଥିଲେ । ଇଂଜିନ୍‌ର ମୁଖ୍ୟ ସୁପର୍‌ଭାଇଜର ମିଃ. ମ୍ୟାଥ୍ୟୁଙ୍କୁ, କ୍ୟାପ୍‌ଟେନ୍ “ହେଲୋ” କହିଛନ୍ତି କି ନାହିଁ, ତାଙ୍କ ଆସିଷ୍ଟାଣ୍ଟ, ଲୁକାସ୍ ସେପଟୁ ଦୌଡ଼ି ଦୌଡ଼ି ଆସି ଶେତା ପଡ଼ିଯାଇଥିବା ମୁହଁରେ ଖବର ଦେଲେ, ସେଡ଼୍ରିକ୍ ରୋଡ଼୍ରିଗେଜ୍ ନିଜ ଗଳାରେ ଫାଶୀ ଲଗେଇ ଆତ୍ମହତ୍ୟା କରିଚନ୍ତି । “ହେ ଭଗବାନ!” କ୍ୟାପ୍‌ଟେନ୍ ଦୀର୍ଘଶ୍ୱାସ ପକେଇଲେ ।

“ଆଚ୍ଛା, କ୍ରିଷ୍ଣମୂର୍ତ୍ତି ଚାଲ, ଆମେ ଚାରିଜଣ – ଲୁକାସ୍‌, ମ୍ୟାଥ୍ୟୁ, ତମେ ଓ ମୁଁ – ତୁମ ଅଫିସ୍‌ରେ ବସି ଏ ଅଭାବନୀୟ ପରିସ୍ଥିତି ଉପରେ କିଛି କଥା ହେବା ।” ଆଦେଶ ଦେବା ଗଳାରେ କ୍ୟାପ୍‌ଟେନ୍ କହିଲେ । କ୍ରିଷ୍ଣମୂର୍ତ୍ତି ମୁଣ୍ଡ ହଲେଇ ହଁ ଭରିଲେ, କିଛି ମାତ୍ରାରେ ସେ ଭୟଭୀତ ଜଣା ପଡ଼ୁଥିଲେ । କ୍ୟାପ୍‌ଟେନ୍ ଏଥର ଲୁକାସ୍‌ଙ୍କୁ ପଚାରିଲେ, “ତୁମ ଛଡ଼ା ଆଉ କିଏ ସେଡ଼୍ରିକ୍‌ଙ୍କୁ ଦେଖିଛନ୍ତି କି? କବାଟକୁ ଠିକ୍‌ସେ ବନ୍ଦ କରି ଦେଇଥିଲ ନା ଖୋଲା ଛାଡ଼ି ଦେଇଛ?” ଲୁକାସ୍ ତା’ କର୍କଶ ଗଳାରେ ଧୀରେ ଉଚାର ଦେଲେ, “କବାଟ ବନ୍ଦ କରି ଦେଇଛି ।” ଅନ୍ୟମାନଙ୍କୁ ଅନୁସରଣ କରିବାକୁ ଇଶାରା କରି କ୍ୟାପ୍‌ଟେନ କ୍ରିଷ୍ଣମୂର୍ତ୍ତିଙ୍କ ଅଫିସ୍‌ ଆଡେ ଚାଲିଲେ ।

କ୍ରମଶଃ

Comments are closed.