Latest Odisha News

BREAKING NEWS

‘ଗଦ୍ଦର-୨’ କୁ ଟକ୍କର ଦେବ ‘ଓଏମଜି-୨’, ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜିକାଲି ତାଙ୍କ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଟାଇଗର ଶ୍ରଫଙ୍କୁ ଦେଖିବାକୁ ମିଳିବ। ଏଥି ସହିତ ପ୍ରଶଂସକମାନେ ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଓ ମାଇଁ ଗଡ଼-୨’ କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗକୁ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ‘ଓଏମଜି-୨’ ବିଷୟରେ ଏକ ନୂତନ ଖବର ଆସିଛି। ନିର୍ମାତାମାନେ ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି।

ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଓଏମଜି-୨ ଅଗଷ୍ଟ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅନ୍ୟପଟେ ଅକ୍ଷୟ କୁମାରଙ୍କ ଫିଲ୍ମ ସନି ଦେଓଲଙ୍କ ଫିଲ୍ମ ‘ଗଦ୍ଦର-୨’ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହା ପୂର୍ବରୁ ଅନେକ ଗଣମାଧ୍ୟମର ରିପୋର୍ଟ ସାମ୍ନାକୁ ଆସିଥିଲା ​​ଯେ ନିର୍ମାତାମାନେ ଫିଲ୍ମକୁ ସିଧାସଳଖ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରିବାକୁ ଚିନ୍ତା କରୁଛନ୍ତି। ବର୍ତ୍ତମାନ ବଲିଉଡ଼ ଖିଲାଡ଼ୀ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଓଏମଜି-୨ ର ପୋଷ୍ଟର ରିଲିଜ କରିଛନ୍ତି।

ଏହି ପୋଷ୍ଟରରେ ସେ ଦେହରେ ପାଉଁଶ ଲଗାଇଥିବା ଅବସ୍ଥାରେ ନଜର ଆସୁଛନ୍ତି। ଏହାସହ ତାଙ୍କର ଲମ୍ବା କେଶ ରହିଛି। ସେ ତଳକୁ ଚାହିଁ ଗୋଟିଏ ହାତ ଉଠାଇ ଏକ ଡାମ୍ରୁ ଧରିଛନ୍ତି। ଅକ୍ଷୟ କୁମାର ଉକ୍ତ ଫଟୋ କ୍ୟାପସନରେ ହିନ୍ଦୀରେ ଲେଖିଛନ୍ତି, ‘ଆ ରାହେ ହୈ ହମ୍, ଆଇଏଗା ଆପ୍ ଭି ଅଗଷ୍ଟ ୧୧ #OMG-2 ସିନେମା ହଲ ମୈ।’ ଅକ୍ଷୟଙ୍କ ଏହି ପୋଷ୍ଟ ପଢିବା ପରେ ପ୍ରଶଂସକମାନେ ବହୁତ ଉତ୍ସାହିତ ହେଉଥିବା ନଜର ଆସିଛି।

ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାରଙ୍କ ସହ ୟାମି ଗୌତମ ଏବଂ ପଙ୍କଜ ତ୍ରିପାଠୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥର ଏହି ଚଳଚ୍ଚିତ୍ର ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ବିପୁଲ ଶାହା, ରାଜେଶ ଶାହା, ଅଶ୍ୱିନ ଭରଦେ ଏବଂ ଅକ୍ଷୟ କୁମାର ମିଳିତ ଭାବେ ନିର୍ମିତ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଅମିତ ରାୟ। ଓଏମଜି ଚଳଚ୍ଚିତ୍ରଟି ୨୦୧୨ ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ପରେଶ ରାୱଲ ମୁଖ୍ୟ ଭୂମିକାରେ ଥିଲେ।

ସୂଚନା ଥାଉକି କେବଳ ‘ଓଏମଜି-୨’ ଏବଂ ‘ଗଦ୍ଦର-୨’ ନୁହେଁ ବରଂ ରଣବୀର କପୁରଙ୍କ ଫିଲ୍ମ ‘ ଆନିମଲ’ ମଧ୍ୟ ଅଗଷ୍ଟ ୧୧ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହି ତିନୋଟି ଚଳଚ୍ଚିତ୍ରର ପ୍ରତିଯୋଗିତା ଦେଖିବାକୁ ମିଳିବ। ଏହି ତିନୋଟି ଚଳଚ୍ଚିତ୍ର ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତେବେ ସେହି ଦିନ କେଉଁ ଫିଲ୍ମର ଡିମାଣ୍ଡ ଅଧିକ ରହିବ ତାହା ପାଇଁ ଅପେକ୍ଷା।

Comments are closed.