Latest Odisha News

BREAKING NEWS

ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ, ସନ୍ଥଙ୍କ ଆଶୀର୍ବାଦ ସହ ସମ୍ପନ୍ନ ହେଲା ଅର୍ଥମନ୍ତ୍ରୀଙ୍କ ଝିଅ ବାହାଘର

ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ । ଦେଶର ଆର୍ଥିକ ବ୍ୟବସ୍ଥା ସମ୍ଭାଳୁଛନ୍ତି । ହେଲେ ନିଜ ଝିଅ ବାହାଘର ଯେମିତି କରିଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାହାଘରରେ ନା ଅଛି ବାଜା ନା ରୋଷଣୀ । ନା ଭିଆଇପି ଅତିଥି ନା ଫାଇଭ ଷ୍ଟାର ହୋଟେଲର ଖାନାପିନା.. । ଟଙ୍କାସୁନାର ସମ୍ଭାର ବି ନାହିଁ । ଦେଖିଲେ ଲାଗିବ ଏକଦମ ସାଧାରଣ ଘରର ଅତି ସାଧାରଣ ବାହାଘର । ହଁ, ଆମେ କହୁଛୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ବାଗ୍ମୟୀଙ୍କ ବାହାଘର କଥା ।

ଗତକାଲି ଅର୍ଥାତ ଜୁନ ୮ ତାରିଖ ଗୁରୁବାର ଦିନ ସମ୍ପନ୍ନ ହୋଇଛି ନିର୍ମଳାଙ୍କ ଝିଅ ବାହାଘର । କୌଣସି ହୋଟେଲ ବା ମଣ୍ଡପରେ ନୁହେଁ, ବାଙ୍ଗାଲୋରସ୍ଥିତ ତାଙ୍କ ନିଜ ଘରେ ଆୟାେଜିତ ହୋଇଥିଲା ବାହାଘର । ଗହଳଚହଳ ବା ଧୁମଧଡାକ ନ ଥିଲା କିନ୍ତୁ ସମ୍ପୂର୍ଣ୍ଣ ପାରିମ୍ପରିକ ରୀତିନୀତି ଅନୁସାରେ ହୋଇଥିଲା ବାହାଘର  । ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀ, ହୋମ ଯଜ୍ଞ ସବୁର ଆୟାେଜନ ହୋଇଥିଲା । ଅତି ନିକଟତର କିଛି ବନ୍ଧୁବାନ୍ଧବ, ସମ୍ପର୍କୀୟ ଏହି ବାହାଘରରେ ଯୋଗ ଦେଇଥିଲେ । ହେଲେ ନ ଥିଲେ ନେତା ନ ଥିଲେ ଅଫିସର । କିନ୍ତୁ ଉଡୁପି ଅଦମାରୁ ମଠର ସନ୍ଥ ଉପସ୍ଥିତ ଥିଲେ ଏବଂ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ।

ନିର୍ମଳାଙ୍କ ଜ୍ୱାଇଁ ପ୍ରତୀକ ଦୋଷୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୦୧୪ରୁ OSD ଭାବେ କାମ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସେ ଖୁବ ବିଶ୍ୱସ୍ତ ଏବଂ ପିଏମଓର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାତରେ ରହିଛି  । ପ୍ରତୀକ ଦୋଷୀ ଗୁଜରାଟର ବାସିନ୍ଦା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ସେ ଅଫିସର ଅନ ସ୍ପେଶାଲ ଡ୍ୟୁଟି ଦାୟିତ୍ୱରେ ଅଛନ୍ତି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହିଁ ସେ ଏଠାରେ କାମ କରୁଛନ୍ତି ।

ନିର୍ମଳାଙ୍କ ଝିଅ ପରକଳା ଦିଲ୍ଲୀ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ କରିବା ପରେ ଜର୍ଣ୍ଣାଲିଜିମ କରିଛନ୍ତି ଏବଂ ପେଷାରେ ସେ ଜଣେ  ଫିଚର ରାଇଟର । ଜ୍ୱାଇଁ ପ୍ରତୀକ ସିଙ୍ଗାପୁର ମ୍ୟାନେଜମେଣ୍ଟ ସ୍କୁଲରେ ଗ୍ରାଜୁଏସନ କରିଛନ୍ତି । ପିଏମଓ ୱେବସାଇଟ ଅନୁଯାୟୀ, ପ୍ରତୀକ ଦୋଷୀ ପିଏମ ଅଫିସରେ ରିସର୍ଚ୍ଚ ଆାଣ୍ଡ ଷ୍ଟ୍ରାଟେଜୀ ୱିଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସଚିବ ସହାୟତା ଦେବା ସହ ଟପ ଲେବୁଲର ଅଫିସରଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖିଥାନ୍ତି ।

ପ୍ରତୀକ ଦୋଷୀ ନରେନ୍ଦ୍ର ମୋଦିଙ୍କ ସହ ଦୀର୍ଘ ବର୍ଷ ଧରି କାମ କରି ଆସୁଛନ୍ତି । ମ୍ୟାନେଜମେଣ୍ଟ ପଢା ଶେଷ ହେବା ପରେ ଯେତେବେଳେ ନରେନ୍ଦ୍ର ମୋଦି  ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେସେ ତାଙ୍କ ଅଧୀନରେ  ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଦିଲ୍ଲୀ ଡକା ଯାଇଥିଲା ।

ତେବେ ଏତେ ବଡ ପଦବୀ, କ୍ଷମତାର ଅଧିକାରୀ ହୋଇଥିଲେ ମଧ୍ୟ ପ୍ରତୀକ ଯୋଶୀ ମିଡିଆ ତଥା ସୋସିଆଲ ମିଡିଆଠାରୁ ଯଥେଷ୍ଟ ଦୂରରେ ଥାଆନ୍ତି ।

Leave A Reply

Your email address will not be published.