Latest Odisha News

BREAKING NEWS

ବାହନଗା ହାଇସ୍କୁଲ ୫ଟିରେ ପୁନଃ ନିର୍ମାଣ ହେବ: ମୁଖ୍ୟମନ୍ତ୍ରୀ

ବାହନଗା: ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଗୃହ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସରର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ ଠାରେ ସଂଘଠିତ ଭୟାବହ ରେଳ ଦୂର୍ଘଟଣା ପରବର୍ତ୍ତି ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ଶିକ୍ଷକ ଶିକ୍ଷୟତ୍ରୀ ଉଦ୍ଧାର ଓ ସେବା କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏହି ଭଳି ମହତ କାର୍ଯ୍ୟରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ସେ ଅଞ୍ଚଳର ଏହି ପ୍ରମୁଖ ଶିକ୍ଷା ଅନୁଷ୍ଠାନକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍କୁଲ ଗଣଶିକ୍ଷା ସଚିବ ଏସ୍. ଅଶ୍ୱସ୍ତି ଭିଡିଓ କନ୍‌ଫେରେନ୍ସିଂ ଯୋଗେ ବାଲେଶ୍ୱର ଜିଲ୍ଲାପାଳ, ସ୍କୁଲ ପରିଚାଳନା କମିଟିର ସଦସ୍ୟବୃନ୍ଦ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସ୍କୁଲର ୨ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀର ପ୍ରିୟଙ୍କା ବେହେରା ଓ ଷଷ୍ଠ ଶ୍ରେଣୀର ସୁମନ ସାହୁ ସ୍କୁଲର ବିକାଶ ବିଷୟରେ ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସହ ମତ ବିନିମୟ କରିଥିଲେ ଓ ସ୍କୁଲର ବିକାଶ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ । ପିଲାମାନଙ୍କର ମତାମତ ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲର ବିକାଶ ଯଥା କଂକ୍ରିଟ ଛାତ, ଶ୍ରେଣୀ ଗୃହ, ଖେଳ ପଡିଆ, ପାଚେରୀ ଆଦି ସୁବିଧା ସୁଯୋଗର ବିକାଶ ପାଇଁ ନିଷ୍ପତ୍ତି କରାଯାଇଛି।

ଏ ସଂକ୍ରାନ୍ତରେ ୧୫ ଦିନ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୃତି କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ଶବ ରହିଥିବା ସ୍କୁଲର ଶ୍ରେଣୀ ଗୃହ, ପ୍ରାର୍ଥନା ହଲ ଆଦିକୁ ଭାଙ୍ଗିଦିଆଯାଇଛି।

Comments are closed.