Latest Odisha News

BREAKING NEWS

ଜୟ ବଜରଙ୍ଗବାଲୀ ଧ୍ୱନି ଭିତରେ ପ୍ରିୟଙ୍କାଙ୍କ ଏମପି ଅଭିଯାନ ଆରମ୍ଭ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଜୟ ବଜରଙ୍ଗବାଲିରୁ କଂଗ୍ରେସ ଆରମ୍ଭ କରିଛି ପ୍ରଚାର। ରାଜ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦମଦାର ଏଣ୍ଟ୍ରି କରିବା ସହ ମଧ୍ୟପ୍ରଦେଶ ଭାବାବେଗ ସହ ଜଡିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ମଧ୍ୟପ୍ରଦେଶ ଅଭିଯାନ ଆରମ୍ଭ କରିଛନ୍ତି।

ପ୍ରଥମେ ନର୍ମଦା ପୂଜନ ସହ ପ୍ରିୟଙ୍କାଙ୍କ ଉପସ୍ଥିତିରେ ସାଧାରଣ ସଭା ଜୟ ବଜରଙ୍ଗବାଲି ଧ୍ୱନିରେ କମ୍ପିଥିଲା। ଏପରିକି ସଭାରେ ବଜରଙ୍ଗବାଲିଙ୍କ ଗଦାକୁ ଦଳୀୟ ନେତାମାନେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କୁ ଦେଇଥିଲେ।

ତେଣୁ କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶରେ ବଜରଙ୍ଗବାଲି ପ୍ରସଙ୍ଗକୁ ନେଇ ନିର୍ବାଚନ ରାଜନୀତି ସରଗରମ ହୋଇଛି। ବିଧାନସଭା ନିର୍ବାଚନର ବହୁ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶରେ ଏଭଳି ଢଙ୍ଗରେ ପ୍ରଚାରକୁ ଓଲ୍ହାଇଛନ୍ତି।

ଜବଲପୁର ଗ୍ବାରିଘାଟରେ ନର୍ମଦା ପୂଜା କରିବା ପରେ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି ପ୍ରିୟଙ୍କା। କର୍ଣ୍ଣାଟକ ଢାଞ୍ଚାରେ ନିର୍ବାଚନ ଘୋଷଣାର ବହୁ ପୂର୍ବରୁ ମଧ୍ୟପ୍ରଦେଶରେ ହେଭିୱେଟ ପ୍ରଚାର ଆରମ୍ଭ କରିଛି କଂଗ୍ରେସ।

ଏହି ସଭାରେ ପ୍ରିୟଙ୍କା ସିଧାସଳଖ ବିଜେପି ସରକାର ଉପରେ ଲୋକଙ୍କ ପ୍ରମୁଖ ସମସ୍ୟାକୁ ନେଇ ଟାର୍ଗେଟ କରିଛନ୍ତି। ଦରଦାମ ବୃଦ୍ଧି ଯୋଗୁ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ବେଳେ ସେମାନଙ୍କୁ କେନ୍ଦ୍ରର ବିଜେପି ସରକାର ଅନ୍ୟ ପ୍ରସଙ୍ଗ ଉଠାଇ ବାଟବଣା କରୁଥିବା ଅଭିଯୋଗ ହୋଇଛି। ଏପରିକି ଏବେ ଏହା ବୁଝିବାର ସମୟ ବୋଲି ପ୍ରିୟଙ୍କା କହିଛନ୍ତି।

ସେହିପରି କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ଦୁର୍ନୀତିକୁ ନେଇ ଶିବରାଜ ସରକାର ଉପରେ ବର୍ଷିଛନ୍ତି ପ୍ରିୟଙ୍କା। ବିଜେପିର ୨୨୦ ମାସର ସରକାରରେ ୨୨୫ ଘୋଟାଲା ହୋଇଛି ବୋଲି ସେ କହିଛନ୍ତି। ସେଥିମଧ୍ୟରୁ ବ୍ୟାପମ ଘୋଟାଲା, ଶିକ୍ଷକ ଓ ପୋଲିସ ନିଯୁକ୍ତିରେ ଘୋଟାଲା ସହ ବହୁ ଦୁର୍ନୀତି ହୋଇଥିବା ବେଳେ ନର୍ମଦା ମାତା ଓ ମହାକାଳ କରିଡରକୁ ମଧ୍ୟ ଛାଡି ନାହାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

ଏପରିକି କଂଗ୍ରେସ ଯେଉଁଠି ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିଛି ବୋଲି କହିଛନ୍ତି। ମଧ୍ୟପ୍ରଦେଶରେ ମାତ୍ର ୧୫ ମାସ ସରକାରରେ ରହିଥିଲେ ମଧ୍ୟ ୨୭ ଲକ୍ଷ ଚାଷୀଙ୍କର ୧୧ ହଜାର ୬୦୦ କୋଟି ଟଂକା ଋଣ ଛାଡ ହୋଇଥିଲା। ତା ସହିତ ଏହି ସ୍ୱଳ୍ପ ସମୟ ମଧ୍ୟରେ ବହୁ କାର୍ଯ୍ୟ ହୋଇଥିଲା ବୋଲି କୁହାଯାଇଛି।

ଏପରିକି ସରକାର ଆସିଲେ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ୧୦୦ ୟୁନିଟ ବିଜୁଳି ମାଗଣା ଆଦି ଦିଆଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି। ଲୋକଙ୍କ ମୂଳ ସମସ୍ୟାକୁ ଅସ୍ତ୍ର କରିବା ସହ ହିନ୍ଦୁତ୍ୱକୁ ମଧ୍ୟ ଆଗକୁ ଆଣିଛି କଂଗ୍ରେସ।

ଏପରିକି କର୍ଣ୍ଣାଟକ ନିର୍ବାଚନ ସଫଳତାର ବିନ୍ଧାଣି କୁହାଯାଉଥିବା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର ମଧ୍ୟ ମଧ୍ୟପ୍ରଦେଶ ଆସି ଦଳର ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି। ମଧ୍ୟପ୍ରଦେଶରେ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ଭସ୍ମ ଆଳତୀରେ ସାମିଲ ହେବା ସହ କାଳଭୈରବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ହିନ୍ଦୁତ୍ୱ, ମନ୍ଦିର ଓ ଭଗବାନ ବିଜେପିର ନିଜସ୍ୱ ସମ୍ପତ୍ତି ନୁହେ ବୋଲି ଶିବକୁମାର କହିଛନ୍ତି। ଏପରିକି କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ଏଥର କଂଗ୍ରେସ ସ୍ପଷ୍ଟ ବହୁମତ ରେ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶରେ ଗୋଟିଏ ପ୍ଲାଟଫର୍ମକୁ ସବୁ ପ୍ରମୁଖ ଦଳୀୟ ନେତାଙ୍କୁ ଅଣାଯାଉଛି।

ଡି କେ ଶିବକୁମାର ମଧ୍ୟପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଜିତୁ ପଟୱାରୀଙ୍କୁ ମଧ୍ୟ କମଲନାଥ ଗୋଷ୍ଠି ସହ ମିଶାଇ କାମକୁ ଜୋରଦାର କରିଛନ୍ତି।

ମଧ୍ୟପ୍ରଦେଶରେ ଶଙ୍ଖନାଦ ସହ ଜୟ ବଜରଙ୍ଗବାଲିରୁ କଂଗ୍ରେସ ନିଜର ନିର୍ବାଚନ ଅଭିଯାନ ଆରମ୍ଭ କରିଛି। ସେପଟେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିଜର କଡା ଅନ୍ଦାଜରେ ମଧ୍ୟପ୍ରଦେଶ ଯାତ୍ରା ଆରମ୍ଭ କରିଛନ୍ତି। ତେଣୁ ବିଜେପି ଏହାକୁ କିଭଳି ସମ୍ମୁଖୀନ ହେବ ତା ଉପରେ ନଜର।

Comments are closed.