ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକଠାରୁ ୮ ଡିଗ୍ରୀରୁ ଅଧିକ ତାପମାତ୍ରା ବୃଦ୍ଧି ପାଇଛି। ସାରା ଓଡ଼ିଶାରେ ୩୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଛି। ଆଜି ସକାଳେ ରାଜଧାନୀରେ ତାପମାତ୍ରା ସ୍ବାଭାବିକଠାରୁ ୬ ଡିଗ୍ରୀ ଅଧିକ ରହିବ ବୋଲି ଆକଳନ ହୋଇଥିଲ କିନ୍ତୁ ଏହା ଟପିଯାଇଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ ଦୁଇଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀକୁ ଟପିଛି। ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୫.୬ ଡିଗ୍ରୀ ସେଲସିୟସ ଓ ସୋନପୁରରେ ୪୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମିିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁରରେ ପ୍ରଥମ ଥର ପାଇଁ ତାପମାତ୍ରା ୪୬.୧ ଡିଗ୍ରୀ ଛୁଇଁଛି।
ମୋଟ ୧୦ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ବା ତା’ଠାରୁ ଅଧିକ ରହିଛି। ସୋନପୁର ପରେ ବରଗଡ଼ରେ ୪୪.୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଛି।
ଭୁବନେଶ୍ୱରରେ ପାରଦ ୪୪.୩ ଡିଗ୍ରୀ ସେଲସିୟସକୁ ଛୁଇଁଛି, ଯାହାକି ସ୍ୱାଭାବିକ ତାପମାତ୍ରାଠାରୁ ୮.୩ ଡିଗ୍ରୀ ସେଲସିୟସ ଅଧିକ। କଟକରେ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ରାଜ୍ୟର ଅନେକ ସ୍ଥାନରେ ଆସନ୍ତା ୫ ଦିନ ଯାଏ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ତେବେ ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ସୂଚନାଯୋଗ୍ୟ ଯେ, ବିଭିନ୍ନ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ସୁନ୍ଦରଗଡ଼ ସମେତ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, କଟକ ଆଉ ଖୋର୍ଦ୍ଧାରେ ତାପମାତ୍ରା ଅଧିକ ରହିବ।
Comments are closed.