Latest Odisha News

କବିତା : ସବୁ ବଦଳିଯାଏ

ଗଜାନନ ମିଶ୍ର 

ବଦଳିଯାଏ,
ସବୁ ବଦଳିଯାଏ ସମୟ ସହିତ।
ସବୁ ହାୱା
ସବୁ ଦୃଶ୍ୟ ଅଦୃଶ୍ୟ
ସବୁ ମାଟି
ସବୁ ଆକାଶ
ସବୁ ସବୁ ବଦଳିଯାଏ
ଦେଖୁ ଦେଖୁ।

ଦେଖୁ ଦେଖୁ
କିଏ କେଉଁଆଡକୁ ଯାଏ,
ଯାଏ, ଚାଲିଯାଏ।
ଯାଏ ତାରା
ଯାଏ ପାରା
ଯାଏ ଧାରା
ଯାଏ ଯାଏ ନଦୀକୁ
ଆଉ ଆଉ ଗଭୀରୁ ଗଭୀରକୁ।

ଯିବା ଭିତରେ
ରହେ ଯୋଉଟା କହେ କଥା।
କଥା କହେ ସ୍ୱପ୍ନର
କଥା କହେ ରଙ୍ଗର
ଆଉ କଥା କହେ ସଭିଙ୍କର
ଯାହାକୁ ନେଇ
ରଚାଯାଏ ମହାଭାରତ
ଯୋଉଠି କେବଳ ଥାଏ ମୁଠାଏ ଭାତ।

ଭାତ ଭାତ ଭାତ
କେବଳ ଭାତ ମୁଠାଏ।
ମୁଠାକ ପାଇଁ ଏତେ ସେତେ
ଏଇଠି ସେଇଠି ସବୁଠି
ଅଦଳବଦଳ ପୃଥିବୀ
ହଇହଲ୍ଲା ଖୁଲୁନଖୁଲା
ବାଟରେ ଘାଟରେ ଭିତରେ ବାହାରେ,
ହେଉ, ଥାଉ ଏତିକିରେ।

ଥାଉ, ଯାଉ
ଯାଉ ଆଉ ଆଉ
ଯୁଆଡେ ଯେମିତି
ଆଉତି ପାଉତି କିତି କିତି।
ନୀର ଖିର ସବୁ ସବୁ
ଆଲୁଅ ଅନ୍ଧାର ଘର,
ଚିର ସହଚର ଯୋଉଟା
ହସ୍ତାକ୍ଷର ସମୟର।

ତପୋବନ, ଟିଟିଲାଗଡ                                                                                             
ବଲାଙ୍ଗୀର 

Comments are closed.