ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଦ୍ୟୁତ୍ କାଟକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଉଭୟ ବିଜେଡି, ବିଜେପି ଉପରେ ବର୍ଷିଛନ୍ତି ।
କହିଛନ୍ତି, ବିଜେପି ଓ ବିଜେଡି ଉଭୟ ଦଳ ଲୋକଙ୍କ ସହ ଖେଳୁଛନ୍ତି, ଡ୍ରାମା କରୁଛନ୍ତି । ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇଁ ବିଜେପି ଦାୟୀ । କିନ୍ତ ଦଳ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଦ୍ୟୁତ୍ କାଟକୁ ନେଇ ପ୍ରତିବାଦ କରୁଛି । ସେହିଭଳି ବିଦ୍ୟୁତ୍ କାଟ ଓ ଅତ୍ୟଧିକ ଟାରିଫ୍ ପାଇଁ ବିଜେଡି ଦାୟୀ ଥିବା ବେଳେ ସେ ଗ୍ୟାସକୁ ନେଇ ପ୍ରତିବାଦ କରୁଛି ।
ଏଭଳି ଭାବେ ଶରତ ଦୁଇ ଦଳକୁ ସମାଲୋଚନା କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ବିଦ୍ୟୁତ୍ ଦରକୁ ନେଇ କହିଛନ୍ତି, ଓଡ଼ିଶାରେ ବିଜୁଳି ଦର ୨୨୦ ପ୍ରତିଶତ ବଢ଼ିଥିବା ବେଳେ ଗ୍ୟାସ୍ ଦର ଗତ ୧୦ ବର୍ଷରେ ୨୫୦ ପ୍ରତିଶତ ବୃଦ୍ଧି ପାଇଛି ।
ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ଦିଆଯାଇଥିଲା । ଆଉ ସେଥିରୁ ୫ ହଜାର କୋଟି ଟାଟା ପାୱାରକୁ ଦିଆଯାଇଥିବା ବେଳେ ଆଉ ୧୫ ହଜାର କୋଟି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି । ଦାବି କରିଛନ୍ତି ସରକାର ଟଙ୍କାକୁ ନେଇ ଶ୍ୱେତପତ୍ର ପ୍ରକାଶ କରନ୍ତୁ ।
ବିଦ୍ୟୁତ୍ କାଟକୁ ନେଇ କଂଗ୍ରେସ ନବୀନ ପଟ୍ଟନାୟକଙ୍କ ସରକାରକୁ ସମାଲୋଚନା କରିଛି । ଖରା ସମୟରେ ବାରମ୍ବାର ବିଦ୍ୟୁତ୍ କାଟକୁ ନେଇ ଦଳ ଆସନ୍ତା ୧୯ ତାରିଖରେ ଗ୍ରୀଡକୋ ଅଫିସ୍ ଘେରାଉ କରିବ ବୋଲି ସୂଚନା ଦେଇଛି ।
Comments are closed.