Latest Odisha News

BREAKING NEWS

ବିଧବା ମହିଳାଙ୍କ ସହ ପ୍ରେମ ପଡିଲା ମହଙ୍ଗା, ଉଭୟଙ୍କୁ କୋଠରୀ ଭିତରେ ପକାଇଲେ ତାଲା

ଅନୁଗୁଳ: ବିଧବା ମହିଳାଙ୍କ ସହ ପ୍ରେମ ସମ୍ପର୍କ ପଡିଲା ମହଙ୍ଗା। ମହିଳାଙ୍କ ସହ କୋଠରୀ ଭିତରେ ପ୍ରେମିକ ଥିବା ବେଳେ ଶାଶୁ ଘର ତାଲା ପକାଇଦେଲେ। ଆଉ ରାତିସାରା ତାଲା ପକାଇବା ପରେ ସକାଳେ ଉଭୟଙ୍କୁ କୋଠରୀ ଭିତରୁ ବାହାର କରି ଦଉଡ଼ିରେ ବାନ୍ଧି ସାହି ଦାଣ୍ଡରେ ବୁଲାଇଲେ। ଆଉ ଶହ ଶହ ଲୋକ ଦେଖଣାହାରି ସାଜି ଏଭଳି ଦୃଶ୍ୟକୁ ମୋବାଇଲରେ ଶୁଟିଂ କରି ମଜା ନେଲେ। ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳରେ।

ସୂଚନା ଅନୁସାରେ ସେହି ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି। ବିବାହର ଅଳ୍ପ ଦିନ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ତାଙ୍କ ଶ୍ୱଶୁର ଘରେ ରୁହନ୍ତି। ତେବେ ଗତ କିଛିଦିନ ହେଲା ବାଲୁଗାଁ ଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଫଳରେ ଯୁବକ ଜଣଙ୍କ ଲୁଚିଛପି ଆସି ମହିଳାଙ୍କୁ ଦେଖା କରନ୍ତି। ତେବେ ଗତକାଲି ରାତିରେ ମଧ୍ୟ ଯୁବକ ଜଣଙ୍କ ମହିଳାଙ୍କ ନିକଟକୁ ଆସିଥିବା ବେଳେ ଶଶୁର ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀ ବାହାରୁ ତାଲା ପକାଇ ଦେଇଥିଲେ। ଆଉ ସକାଳେ ସାହି ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିବା ପରେ ଉଭୟଙ୍କୁ ମାଡ ମାରିବା ସହ ଏକ ଦଉଡିରେ ବାନ୍ଧି ଦେଇଥିଲେ।

ଏତିକିରେ କଥା ସରିନଥିଲା। ଉଭୟଙ୍କୁ ଏକାଠି ବାନ୍ଧି ରାସ୍ତାରେ ବୁଲାଇଥିଲେ। ଆଇନକୁ ହାତକୁ ନେଇ ଏଭଳି ରାସ୍ତାରେ ବୁଲାଇଥିବା ବେଳେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ। କିଏ ତାଛଲ୍ୟ କରୁଥିଲା ତ କିଏ ମୋବାଇଲରେ ଭିଡ଼ିଓ ଉଠାଇ ମଜା ନେଉଥିଲା। ପ୍ରାୟ ୨ ଘଣ୍ଟା ଏଭଳି ତାମସା ଚାଲିଥିଲା। ପରେ ପ୍ରେମିକର ପରିବାର ଲୋକଙ୍କୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଛାଡି ଦେଇଥିଲେ। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି। ଆଇନର ଆଶ୍ରୟ ନନେଇ ଲୋକ କାହିଁକି ଆଇନ ହାତକୁ ନେଲେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ସେପଟେ ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି । ତେବେ ଆଇନ ହାତକୁ ନେଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଅନ୍ୟ କିଛି ଆଲୋଚନା କରୁଛନ୍ତି।

Comments are closed.