Latest Odisha News

BREAKING NEWS

କବିତା : ତୁମ ରଥଯାତ୍ରା

ସଦାନନ୍ଦ ସାହୁ 

ଭକତ ମେଳରେ ଜଗତ ଠାକୁରେ
ଆରାଧ୍ୟ ଦେବତା ପ୍ରଭୁ ;
ମାନବୀୟ ଲୀଳା ଏ ରଥ ଯାତରା
ଭକ୍ତ ପ୍ରାଣେ ସଦା ବିଭୁ ॥

ଭକତ ଭାବରେ ବନ୍ଧା ଏ ଠାକୁରେ
ଜଗତ କଲ୍ୟାଣ ପାଇଁ ;
ରଥ ଯିବ ଗଡି ପତିତ ଉଦ୍ଧାରି
ଦୁଃଖ ଯେତେ ଦବ ଧୋଇ ॥

ଜଗନ୍ନାଥ ଧ୍ଵନି ହେବ ପ୍ରତିଧ୍ଵନି
ପ୍ରକମ୍ପିତ ହେବ ବିଶ୍ଵ
ଆଧ୍ୟାତ୍ମିକତାର ଏଭାବ ସନ୍ଦେଶ
ସମ୍ପର୍କର ଚିରହସ ॥

ବିଶ୍ଵ ବ୍ରହ୍ମାଣ୍ଡର ସୁକଲ୍ୟାଣ ମିତ୍ର
ଜଗତର ନାଥ ପ୍ରଭୁ
ସାତ ସିନ୍ଧୁ ଡେଇଁ ଭକ୍ତ ଆସେ ଧାଇଁ
ଜଳାଞ୍ଜଳି ଦେଇ ସବୁ ॥

ରତ୍ନ ବେଦୀ ଛାଡି ରଥ ଯିବ ଗଡି
ଜନ୍ମ ବେଦୀ ଅଭିମୁଖେ
ନବ ଦିନାତ୍ମକ ଭ୍ରମଣ ଆଶିଷ
ଜଗତର ସୁଖ ଦୁଃଖେ ॥

ରଥ ପଥ ମିତ ପ୍ରଭୁ ଜଗନ୍ନାଥ
ସବୁତୁମ ଲୀଳାଖେଳା ;
ରଥେ ରଥ ଯାତ୍ରା ରଥରେ ବାହୁଡା
ତବ ଅଙ୍ଗେ ଷୋଳକଳା ॥

ସଙ୍ଗରେ ସଙ୍ଗାତ ଭାତୃଭଗ୍ନୀ ପ୍ରେମ
ଔଜ୍ଜଲ୍ୟ ହୀରା ମାଣିକ
ଅତୁଟ ବନ୍ଧନ ସ୍ନେହର ଆଶିଷ
ଘୋଷଯାତ୍ରା ପ୍ରେମରଙ୍କ ॥

ତବ ନନ୍ଦିଘୋଷ ଯାତ୍ରାର ବିଶେଷ
ତାଳଧ୍ବଜ ଅନୁସଙ୍ଗ ;
ଦେବଦଳନକୁ ଭୁଲି ନ ଯିବାକୁ
ମଧ୍ୟମାରେ ସଦାରଖ.॥

ଆହେ ଜଗନ୍ନାଥ ଆହେ ବଳଭଦ୍ର
ହେ ମାଆ ସୁଭଦ୍ରା ଦେବୀ
ପୋଡ଼ ପିଠା ଖାଇ ଆସିବ ହେ ଫେରି
ପ୍ରତିକ୍ଷାରେ ରତ୍ନବେଦୀ ॥

ଶ୍ରୀ ଗୁଣ୍ଡିଚା ମାଆ ରଖିବନି ଜମା
ସଅଳେ କରିବ ବିଦା
ଶୂନ୍ୟ ଶ୍ରୀମନ୍ଦିର ଲାଗୁଛି ଶ୍ରୀହୀନ
ଆଶଙ୍କାରେ ଭକ୍ତ ସଦା ॥

ଧୁରୁଷିଆ, ଆଠଗଡ଼
କଟକ

Leave A Reply

Your email address will not be published.