ପୁରୀ: ସତ୍ୟବାଦୀରେ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି କାମ ସରିନଥିଲେ ମଧ୍ୟ ଆସନ୍ତା ମାସରେ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହି ବିଶ୍ୱବିଦ୍ୟାଳୟକୁ ସାକ୍ଷୀ ଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଅସ୍ଥାୟୀ ଭାବେ ରଖାଯାଇଛି।
ଉଚ୍ଚଶିକ୍ଷା ବିଭାଗର ଏକ ଟିମ୍ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିଦର୍ଶନ କରି ଚଳିତ ଶିକ୍ଷାବର୍ଷରୁ ବିଶ୍ବବିଦ୍ୟାଳୟର କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ। ନୂଆ କୋଠା ନିର୍ମାଣ ଶେଷ ନହେବା ଯାଏ କଲେଜର ଏକ ପରିତ୍ୟକ୍ତ ଲେଡିଜ୍ ହଷ୍ଟେଲକୁ ପାଠପଢା କାମରେ ବ୍ୟବହାର କରିବାକୁ ଏହି ଟିମ୍ ନିଷ୍ପତ୍ତି ନେଇଛି।
ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ନାମଲେଖା ପ୍ରକ୍ରିୟା ଅନଲାଇନରେ ହେବ ଏବଂ ଆବେଦନ ଫର୍ମ ବିଶ୍ୱବିଦ୍ୟାଳୟର ଓ୍ୱେବସାଇଟରେ ଉପଲବ୍ଧ ହେବ।
ବିଶ୍ବବିଦ୍ୟାଳୟର ଉଦଘାଟନୀ ବର୍ଷରେ 3ଟି ପାଠ୍ୟକ୍ରମରେ ନାମଲେଖା ହେବ: ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଅଧ୍ୟୟନ। ଆସନ୍ତା ଶିକ୍ଷାବର୍ଷ ସୁଦ୍ଧା ବିଶ୍ବବିଦ୍ୟାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।
Comments are closed.