ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶ୍ଵେତା ରାଉତ୍। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ଭାବ ପ୍ରବନ୍ଧର ବିଶ୍ଳେଷଣ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇପାରନ୍ତି ତାଙ୍କ ସର୍ଜନାର ଧାରା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ପୁରସ୍କାରର ଓ ସମ୍ମାନରେ ସମ୍ମାନିତା।
ଲେଖିକା ଶ୍ଵେତା ରାଉତଙ୍କ ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ସାହିତ୍ୟ ସର୍ଜନା ପ୍ରତି କେମିତି ଆକର୍ଷିତ ହେଲେ ?
ପିଲାଦିନରୁ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ମୁଁ ନିଜେ ଗୀତ ଲେଖି ନିଜ ସ୍ଵରରେ ଗାଉଥିଲି।ମୋ ଲେଖାକୁ ଶିକ୍ଷକମାନେ ଖୁବ୍ ପସନ୍ଦ କରୁଥିଲେ ଓ ସମ୍ବାଦ ପତ୍ରରେ ଦେବାପାଇଁ ଅନେକ ଥର କହୁଥିଲେ।ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲି ମୋର ପ୍ରଥମ ଲେଖା(କବିତା)ସମ୍ବାଦରେ ପ୍ରକାଶ ପାଇଥିଲା।ନିଜ ଲେଖାର ମୁଦ୍ରିତ ରୂପ ଖବରକାଗଜରେ ଦେଖି ଖୁବ୍ ଖୁସି ହୋଇଥିଲି ଓ ସେହିଦିନରୁ ଆହୁରି ଲେଖିବାର ଆଗ୍ରହ ବଢିଥିଲା।
ଗଳ୍ପ, କବିତା, ଆଲେଖ୍ୟ ଆଦି ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?
ଯଦିଓ ମୁଁ ଫିଚର୍, ଆଲେଖ୍ୟ ,ଗଳ୍ପ, କବିତା, ଭଜନ, ପ୍ରବନ୍ଧ ଆଦି ସବୁ ବିଭାଗରେ ଲେଖିଥାଏ କିନ୍ତୁ ମତେ କବିତା ଲେଖିବାକୁ ଭଲଲାଗେ। କାରଣ ଅଳ୍ପରେ ଅନେକ କହିହୁଏ କବିତା ମାଧ୍ୟମରେ।
ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ମୁଁ ଯଦି ମୋ ନିଜ ଲେଖାର ସମୀକ୍ଷା କରିବି ତେବେ କବିତା ଆଉ ଟିକେ ଉନ୍ନତ ଶବ୍ଦ ସଂଯୋଜନା ହେବା ଦରକାର ବୋଲି ମନେ କରିବି ଏବଂ ପ୍ରବନ୍ଧରେ ମୁଁ ସତ୍ୟ ଆଧାରିତ ଲେଖେ ବୋଲି ମୋତେ ସବୁ ସାମ୍ପ୍ରତିକ ଓ ଠିକ୍ ଲାଗେ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?
ପ୍ରତି କ୍ଷେତ୍ରରେ ମଣିଷ ସଫଳତା ଓ ସମ୍ମାନ ଆଶା କରେ। ଏହା ଆଗକୁ ପ୍ରେରିତ କରେ କିନ୍ତୁ ସମ୍ମାନ ପ୍ରାପ୍ତ ପାଇଁ କଠିନ ଅଧ୍ୟାବସାୟ ଜରୁରୀ, ସାଧନା ଜରୁରୀ। ଅଳ୍ପ କିଛି ଲେଖିଦେଇ, ଖଣ୍ଡେ ବହି ଛାପିଦେଲେ ଯେ ବଡ ସାହିତ୍ୟିକ ହୋଇଯିବା ଏହା ଜରୁରୀ ନୁହେଁ। ଆଦୌ ସମ୍ମାନିତ ହୋଇନଥିବା ଅନେକ କବି ମଧ୍ୟ କାଳଜୟୀ ହୋଇଛନ୍ତି।
ଓଡ଼ିଆ ସାହିତ୍ୟରେ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?
ସାହିତ୍ୟରେ ପୂର୍ବ ଅପେକ୍ଷା ଲେଖିକାମାନଙ୍କୁ ନିଜ ଲେଖା ମାଧ୍ୟମରେ ପରିଚିତ ହେବା ଓ ସର୍ଜନମନସ୍କ ହେବାକୁ ଖୁବ୍ ସ୍ବାଧିନତା ମିଳିଛି। ହଁ ଚାପ ରହିଛି, ମୁଁ ଭାବୁଛି ସମାଜିକ ଚାପ ନୁହେଁ ବରଂ ଅନେକାଂଶରେ ପାରିବାରିକ ଚାପରେ ଲେଖିକାମାନେ ଦ୍ବନ୍ଦରେ ରହିଥାନ୍ତି।
ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?
ମୋ ସୃଷ୍ଟି ସମୂହରେ ମୁଁ ଜୀବନରେ ସମ୍ପର୍କର ଆବଶ୍ୟକତା, ନିବିଡତା, ସେବା ଓ ସମର୍ପଣ ଭାବକୁ ଅଧିକ।ଗୁରୁତ୍ଵ ଦେଇଛି। ସମ୍ପର୍କକୁ ସଂଜୀବନୀ ଭାବେ ରୂପାୟନ କରିଛି।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ନା ଦେଇ ପାରିନି। ଏବେ ବି ସେହି ଇପ୍ସିତ ସର୍ଜନାଟିଏ ମନ ଭିତରେ ବ୍ୟାକୁଳ କରୁଛି ତାହା ହେଲା ପିଲାଦିନରୁ ଅନେକ ସଂଘର୍ଷ ଦେଇ ଗତି କରିଥିବା ମୋ ଜୀବନର କଥା।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ନିଶ୍ଚିତ ଭାବରେ ଖୁବ୍ ସହାୟକ ହୋଇଛି ; ଅନ୍ୟଥା ଆମେ ପରସ୍ପରକୁ ଜାଣିଥାନ୍ତେ କିପରି!
ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?
ମୁଁ ସାହିତ୍ୟକୁ ନେଇ କିଛି ସ୍ବପ୍ନ ଦେଖିନାହିଁ। କିଛି ଆଶା ନାହିଁ, ଅନୁଶୋଚନା ନାହିଁ। ମୋ ସଂସାର ଧର୍ମ ଭିତରେ କର୍ମ କରୁଥିବା ବେଳେ ସାହିତ୍ୟ ମିତଟିଏ ପରି ଆସିଛି, ମୋ ସହିତ ସୁଖ ଦୁଃଖ ବାଣ୍ଟିଛି, ମନ କଥାକୁ କାଗଜରେ ଉତ୍ତାରି ମୋତେ ହାଲୁକା କରିଛି। ସାହିତ୍ୟ ଏମିତି ମିତତିଏ ହୋଇ ରହିଥାଉ।
ସମସାମୟିକ ଲେଖିକାମାନଙ୍କୁ ଆପଣ କେଉଁ ବାର୍ତ୍ତା ଦେବାକୁ ଚାହିଁବେ ?
ସମସାମୟୀକ ଲେଖିକାମାନଙ୍କୁ ଏତିକି କହିବି ଯେ, ଆମେ ଯାହା ଲେଖୁଛେ, ଲେଖାରୁ ଆମ ଆଚରଣ, ସ୍ଵଭାବ,ସଂସ୍କାର ଓ ଉଦ୍ଦେଶ୍ୟ ବାରି ହୋଇପଡେ। ତେଣୁ ଆମକୁ ଧ୍ୟାନ ଦେବା ଜରୁରୀ ଯେ ଆମ ଲେଖା ମାଧ୍ୟାମରେ ସମାଜକୁ ଭୁଲ ବାର୍ତ୍ତା ନଯାଉ; ଲେଖା ମାର୍ଜିତ ହେଉ ଓ ଅନ୍ୟମାନଙ୍କୁ ପ୍ରେରିତ କରୁ।
Comments are closed.