Latest Odisha News

ମହାପ୍ରଭୁଙ୍କ ନାଁରେ ଅନ୍ ଲାଇନ ଠକେଇ, ଉତ୍ସବ ପରେ ଯୋଡ଼ିହେଲା ‘ଶାଲିଗ୍ରାମ ଶାଳ’

ପୁରୀ: ଜଗନ୍ନାଥଙ୍କ ନାଁରେ ଭକ୍ତଙ୍କୁ ଠକିବା ପାଇଁ ସୋସିଆଲ ମିଡିଆ ଏବେ ଠକେଇକାରୀଙ୍କ ନୂଆ ପ୍ଲାଟଫର୍ମ ପାଲଟିଛି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ବାହାନାରେ ‘ଶାଲିଗ୍ରାମ ଶାଳ’ ନାମକ ଏକ ନୂଆ ଓ୍ବେବସାଇଟ ଭକ୍ତଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନିକଟରେ ସମାନ ଏକ ଅଭିଯୋଗ ଆସିଛି ଉତ୍ସବ ନାମକ ଏକ ଆପ ନାଁରେ।

ଏହି ଓ୍ବେବସାଇଟ୍ ମଧ୍ୟ ଆମେରିକୀୟ ଡଲାରରେ ପାଣ୍ଠି ସଂଗ୍ରହ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ପୂଜା ଓ ମନ୍ତ୍ରପାଠ ପାଇଁ ୪୫୦୦ ଟଙ୍କା ବା ୫୯ ଆମେରିକୀୟ ଡଲାର ମୂଲ୍ୟ ଧାର୍ଯ୍ୟ ରହିଛି। ଏହି ଓ୍ବେବସାଇଟରେ ବ୍ରାହ୍ମଣ ଭୋଜି ଆୟୋଜନ ପାଇଁ ୬୦୦୦ ଟଙ୍କା କିମ୍ବା ୭୯ ଆମେରିକୀୟ ଡଲାର ଏବଂ ଅନ୍ୟାନ୍ୟ ସେବା ପାଇଁ ରିହାତି ମଧ୍ୟ ପ୍ରଦାନ କରାଯାଇଛି।

ବରିଷ୍ଠ ସେବାୟତ ବିନାୟତ ଦାସମହାପାତ୍ର ସଂପୃକ୍ତ ଓ୍ବେବସାଇଟ୍ ବିରୋଧରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି। ଏଭଳି ଓ୍ବେବସାଇଟ ଜାଲରେ ନ ପଡ଼ି ସିଧାସଳଖ ଶ୍ରୀମନ୍ଦିରକୁ ଦାନ ଦେବାକୁ ସେ ଭକ୍ତମାନଙ୍କୁ ଅନୁରୋଧ କରିଛନ୍ତି। ଯେଉଁମାନେ ଦାନ କରିବାକୁ ଚାହୁଁଛନ୍ତି ସେମାନେ ସିଧାସଳଖ ଦାନ କରିପାରିବେ ନହେଲେ ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ କରିପାରିବେ। ଯିଏ ବି ଏପରି କାମରେ ସଂପୃକ୍ତି ରଖିଥିବା ତାକୁ ତୁରନ୍ତ ଚିହ୍ନଟ କରାଯାଇ ବିହିତ ପଦକ୍ଷେପ ନିଆଯାଉ ବୋଲି ସେ କହିଛନ୍ତି।

ଶ୍ରୀଜଗନ୍ନାଥଙ୍କ ନାମରେ କୌଣସି ଓ୍ବେବସାଇଟ୍ ଭକ୍ତଙ୍କୁ ଠକିବାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ‘ଉତ୍ସବ’ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ଶ୍ରୀମନ୍ଦିର ପାଇଁ ଦାନ ଆକାରରେ ମାସିକିଆ ଭାବେ ଭକ୍ତଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଆସନ୍ତା ୭ ତାରିଖରେ ଏ ନେଇ ଉତ୍ସବ ଆପର ଅଧିକାରୀମାନେ ପୁଲିସ ଆଗରେ ସାକ୍ଷ୍ୟ ପ୍ରଦାନ କରିପାରନ୍ତି। ପୁଲିସ ଘଟଣାର ତଦନ୍ତ କରିବା ସହ ମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବାକୁ କହିଛି। ଏଭଳି ଓ୍ବେବସାଇଟ ଜାଲରେ ନ ପଡ଼ିବା ପାଇଁ ଭକ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନେ ଶ୍ରୀମନ୍ଦିରକୁ ସିଧାସଳଖ କିମ୍ବା କୌଣସି ବିଶ୍ୱସ୍ତ ସଂସ୍ଥା ମାଧ୍ୟମରେ ଦାନ ଦେବା ଉଚିତ୍।

Comments are closed.