Latest Odisha News

BREAKING NEWS

ମହାରାଷ୍ଟ୍ର ଭଳି ଓଡ଼ିଶାରେ ରାଜନୈତିକ ହଟଚମଟ ହେବ କି? ଜବାବ ରଖିଲେ ତାରା

ଭୁବନେଶ୍ୱର: ରବିବାର ହଠାତ ମହାରାଷ୍ଟ୍ର ରାଜନୀତିରେ ଯେଉଁଭଳି ହଟଚମଟ ହେଲା ବା ସ୍ଥିତି ଉପୁଜିଲା, ସମାନ ଅବସ୍ଥା ଓଡ଼ିଶା ରାଜନୀତିରେ ହେବ କି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ଜୟପୁର ବିଧାୟକ ବାହିନୀପତି। ଯେଉଁଠି ବିଜେପି ଦୁର୍ବଳ ହେଉଛି କିମ୍ବା ପ୍ରତିପକ୍ଷ ଦଳକୁ ଦୁର୍ବଳ କରିବାରେ କେନ୍ଦ୍ରର ଶାସକ ଦଳ ବିଜେପି ଷଡଯନ୍ତ୍ର କରୁଛି ବୋଲି ଚର୍ଚ୍ଚା ହେବା ପରେ ଏଭଳି ଏକ ପ୍ରଶ୍ନ କଂଗ୍ରେସ ବିଧାୟକଙ୍କୁ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି ଯାହାର ଉତ୍ତର ଦେଇ ସେ କହିଛନ୍ତି, ବିଜେପି ଚାହିଁଲେ ହୋଇପାରିବ।

BjdElectrycity

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଙ୍ଗଳବାର ଶାସକ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ କଟାକ୍ଷ କରି ଓଡ଼ିଶାରେ ଉଭୟ ଦଳ ଏକ ବୋଲି କହିଛନ୍ତି। କେନ୍ଦ୍ରରେ ବିଜେପି ସରକାର ଯାହା କହିବ, ଓଡ଼ିଶାରେ ଶାସକ ବିଜେଡି ତା’ର ଅନୁପାଳନ କରିବ। ବିଜେଡିରେ ଏବେ ଅସନ୍ତୋଷ ଦେଖାଦେଇଛି ଏବଂ ବିଜେପି ଚାହିଁଲେ ବିଜେଡିକୁ ଭାଙ୍ଗିପାରେ ବୋଲି ବାହିନୀପତି କହିଛନ୍ତି।

ମହାରାଷ୍ଟ୍ରରେ ଯାହା ଘଟିଲା, ତାହା ଗଣତନ୍ତ୍ର ପାଇଁ ସୁସ୍ଥ ନୁହେଁ ବୋଲି ସେ କହିଛନ୍ତି। ଓଡ଼ିଶାରେ କ’ଣ ହେବ କିଏ ଜାଣେ. ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହ ଯାହା କହିବେ ବିଜେଡି ତାହା କରିବ। ବିଜେପି ଯଦି ବିଜେଡ଼ିକୁ ଭାଙ୍ଗିବାକୁ ଚାହେଁ, ତେବେ ଓଡ଼ିଶାରେ ଶାସକ ଦଳର ଅସନ୍ତୋଷକୁ ଆଖି ଆଗରେ ରଖି କାମ କରିପାରିବ ବୋଲି ଜୟପୁରର କଂଗ୍ରେସ ବିଧାୟକ ବାହିନୀପତି କହିଛନ୍ତି। କଂଗ୍ରେସ ବିଧାୟକ ଆହୁରି କହିଛନ୍ତି ଯେ ଇଡି ଓ ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ବିଜେଡି ନିଜଆଡୁ ଅଲଗା ହୋଇଯିବ।

ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି, “ଆମେ କୌଣସି ଦଳକୁ ଭାଙ୍ଗିବାରେ ବିଶ୍ୱାସ କରୁନାହୁଁ ଏବଂ ବିଜେଡି ନିଜେ ଭାଙ୍ଗିଯିବ। ଲୋକଙ୍କ ଜନାଦେଶକୁ ଦୃଷ୍ଟିରେ ରଖି ବିଜେପି କାମ କରୁଛି। ଯଦି ସେମାନେ ନିଜ ଦଳକୁ ସମ୍ଭାଳି ପାରୁନାହାନ୍ତି, ତେବେ ବିଜେପିକୁ ଦୋଷ ଦେବା ଯୁକ୍ତିଯୁକ୍ତ ନୁହେଁ।

ବିଜେପି ଓ ବିଜେଡି ଏକ ବୋଲି ତାରାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓରାମ କହିଛନ୍ତି ଯେ, ୨୦୦୯ରେ ମେଣ୍ଟ ଶେଷ ହେବା ପରେ ବିଜେପି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛି। ଆମେ ଏଠାରେ ଜନାଦେଶ ସହ ସରକାର ଗଠନ କରିବୁ।

ସେହିପରି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, କଂଗ୍ରେସର ଦିବାସ୍ୱପ୍ନ କେବେ ସତ ହେବ ନାହିଁ। ସାରା ଦେଶରେ ବୁଡ଼ି ଯାଉଥିବା ନିଜ ଜାହାଜକୁ କଂଗ୍ରେସ ବଞ୍ଚାଇ ରଖିବା ଉଚିତ।

Leave A Reply

Your email address will not be published.