Latest Odisha News

BREAKING NEWS

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବ୍ୟକ୍ତି ହେଲେ ହେଁ ଜଣେ ଲୋକ
ବ୍ୟକ୍ତିତ୍ବ ସର୍ବଦା ଅନେକ
ରୂପରେ ହୁଏ ପ୍ରକଟିତ
ଏହା ଏ ସଂସାରର ସତ

ବ୍ୟକ୍ତିଟେ ଦେଇ ମନ, ଧ୍ୟାନ
କରିଲେ ବ୍ୟକ୍ତିତ୍ବ ଗଠନ
ତହିଁରେ ବହୁ ଉପାଦାନ
ଆପେ ହୋଇଥାଆଂତି ଲୀନ

କାହାଠୁ ପାଇ ଦୋଷ, ଗୁଣ
ମଣିଷ ଚଳାଏ ଜୀବନ
ତହିଁର ସ୍ପଷ୍ଟ ସଂଖ୍ୟାୟନ
କରିବା ଭଳି ନାହିଁ ଜ୍ଞାନ

କାହାର କିଭଳି ପ୍ରଭାବ
କରେ ମଣିଷ ଅନୁଭବ
ତାହା ସଂପୂର୍ଣ ବ୍ୟକ୍ତିଗତ
ସର୍ବଦା ଥାଏ ତା ସହିତ

ବ୍ୟକ୍ତି ମୂଳତଃ ଅଟେ ଅଜ୍ଞ
ଜ୍ଞାନ ପାଇ ସେ ହୁଏ ବିଜ୍ଞ
ତେଣୁ ସେ ହୁଅଇ କୃତଜ୍ଞ
ଚଳାଇରଖେ ଜ୍ଞାନ-ଯଜ୍ଞ

ବହୁ ସୂତ୍ରରୁ ପାଇ ଜ୍ଞାନ
କରେ ସେ ଜୀବନ ଯାପନ
ଘଟାଏ ନିଜ ଉନ୍ନୟନ
ସଂସାରେ ହୋଇ ଆତ୍ମଲୀନ

କେଉଁ ଦିଗରୁ କ’ଣ ଆସି
ମଥା ଭିତରେ ଯାଏ ପଶି
ଜମାଏ ନିଜର ଆସନ
ସଂଭବ ନୁହେ ବିତାଡ଼ନ

ଚିଂତାକୁ କରିଲେ ସ୍ବାଗତ
ବହୁ ପ୍ରକାରେ ଉପକୃତ
ହୁଅଇ ବ୍ୟକ୍ତି ନିରଂତର
ଏପରି ଚଳେ ଏ ସଂସାର

ବ୍ୟକ୍ତିର ଥାଏ ଅଂତଃଶକ୍ତି
ତାହା ହିଁ ତା’ର ପ୍ରୀତି, ଭକ୍ତି
ତାହାକୁ ପାରିଲେ ସଂଭାଳି
ମଣିଷ ସୁଖେ ଯାଏ ଚଳି

Comments are closed.