Latest Odisha News

BREAKING NEWS

World Population Day 2023: କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳିତ ହୋଇଥାଏ । ସାରା ଦୁନିଆରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକମାନଙ୍କୁ ଜାଗୃତ ଓ ସଚେତନ କରିବା ପାଇଁ ଏହି ଦିନର ପାଳନ କରାଯାଏ। ଏହି ଦିନ ପରିବାର ନିୟୋଜନ, ମାନବଧିକାର ଓ ନାରୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଏ। ବିଶ୍ୱ ଜନସଂଖ୍ୟା ଦିବସରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଯେଉଁଥିରେ ଜନସଂଖ୍ୟା ବୃଦ୍ଧି ହେବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଓ ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ। ମିଳିତ ଜାତିସଂଘର ଜନସଂଖ୍ୟା କୋଷ ପ୍ରତିବର୍ଷ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଏକ ଥିମ୍ ପ୍ରଦାନ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଏକ ଏପରି ବିଶ୍ୱର କଳ୍ପନା କର, ଯେଉଁଠାରେ ଆମର ସମସ୍ତ ୮୦୦ କୋଟି ଲୋକଙ୍କ ଭବିଷ୍ୟତ ଆଶା ଏବଂ ସମ୍ଭାବନାରେ ଭରପୂର ଥିବ।’

ମିଳିତ ଜାତିସଂଘ ଦ୍ୱାରା ୧୯୮୯ ରେ ଏହି ଦିନ ସ୍ଥାପିତ ହୋଇଥିଲା । ଡକ୍ଟର କେ.ସି ଜାକରିଆ ଏହି ଦିନର ପ୍ରସ୍ତାବ ଦେଇଥିଲେ। ୧୧ ଜୁଲାଇ ୧୯୮୭ରେ ଜନସଂଖ୍ୟା ଯେତେବେଳେ ୫୦୦ କୋଟିରେ ପହଞ୍ଚିଲା, ଏହି ଦିବସକୁ ନେଇ ଉତ୍ସାହ ଦେଖାଦେଇଥିଲା। ସେବେଠାରୁ ଜୁଲାଇ ୧୧ ତାରିଖକୁ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର, ମାତୃ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସମେତ ବିଭିନ୍ନ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱ ଜନସଂଖ୍ୟା ଦିବସର ପ୍ରଧାନ ଲକ୍ଷ୍ୟ ।

ବିଶ୍ୱ ଜନସଂଖ୍ୟା ଦିବସ ଦିନ ବୃଦ୍ଧି ପାଉଥିବା ଜନସଂଖ୍ୟା ରୋକିବା ପାଇଁ ପ୍ରତି ଲୋକଙ୍କୁ ଜାଗୃତ କରାଯାଏ। ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଭିନ୍ନ କାରଣରୁ ସମାଜ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏବେ ଦେଶର କେତେକ ସ୍ଥାନରେ ବାଲ୍ୟ ବିବାହ କରାଯାଉଛି। ଏହା ବେଆଇନ ବା ଆଇନ ଦୃଷ୍ଟିରେ ଅପରାଧ ଅଟେ। ଏଭଳି କୁପ୍ରଥା କାରଣରୁ କମ ବସୟରେ ମଧ୍ୟ କେତେକ କନ୍ୟାମାନେ ସନ୍ତାନମାନଙ୍କୁ ଜନ୍ମ ଦେଇଥାଆନ୍ତି। ଯାହା ଉଭୟ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।

ଅଶିକ୍ଷିତ, ଦାରିଦ୍ର୍ୟତା ଓ ପୁତ୍ର ସନ୍ତାନ ପ୍ରାପ୍ତିର ଇଚ୍ଛା ଜନସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ମଧ୍ୟ ଅଟେ। ଅଶିକ୍ଷିତ ହେବା କାରଣରୁ ଲୋକେ ପରିବାର ନିୟୋଜନର ମହତ୍ତ୍ୱ ବିଷୟରେ ବୁଝିପାରନ୍ତି ନାହିଁ। ବେରୋଜଗାରୀ ବୃଦ୍ଧି ପାଇବାର ମୁଖ୍ୟ କାରଣ ମଧ୍ୟ ଜନ ସଂଖ୍ୟା ବୃଦ୍ଧି ଅଟେ। ତେଣୁ ସଠିକ ଶିକ୍ଷାର ସ୍ତର ବୃଦ୍ଧି, ଲୋକଙ୍କୁ ଭୁଲ ଓ ଠିକ ବିଷୟରେ ଜାଗୃତ କରିବାର ଅଭିଯାନର ପ୍ରଚାର ଦ୍ୱାରା ଜନସଂଖ୍ୟା ବୃଦ୍ଧିକୁ ରୋକାଯାଇ ପାରିବ।

Comments are closed.