Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ ନୈମିତିକ -ବିଧି ଭିତରେ ବାର ଅନୁସାରେ ଏକାଦଶୀ ନୀତି ପାଳନ ଆଲୋଚନା ଭିତରେ ଆମେ ଜାଣିଲେ ସୋମବାର କଥା। ଆଜି ଜାଣିବା ଗୁରୁବାର ଦିନ ଏକାଦଶୀ ପଡ଼ିଲେ କି କି ବିଶେଷ ନୀତି ହୋଇଥାଏ। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ସନ୍ଧ୍ୟା ଧୂପ ପରେ କେବଳ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ହୋଇଥାଏ । ତାହା ପରେ ତିନି ଠାକୁରଙ୍କର ଚନ୍ଦନ ଲାଗି ଓ ସ୍ୱତନ୍ତ୍ର ବଡସିଂହାର ବେଶ ହୋଇଥାଏ। ଏହାପରେ ଭିତରଛୁ ମହାପାତ୍ର ସିଂହାସନ ଉପରେ ଛିଡା ହୋଇ ଶ୍ରୀଜଗନ୍ନାଥଙ୍କ ଉପରେ ଦଣ୍ଡ ଛତ୍ର ଧରନ୍ତି ପାଳିଆ ମେକାପ ଆଣ୍ଠୁମାଡ଼ି ବସି ତାହାର ବେଣ୍ଟକୁ ଧରିଥାନ୍ତି। ମୂଦିରସ୍ତ ପ୍ରସାଦ ଓ ଗଦିଫେଟା ଲାଗି କରନ୍ତି। ସୁନାର ଆରତି ଦାନୀରେ କର୍ପୁର ଆଳତି କରିବା ପରେ, ସୁନା ଆଲଟ ଓ ସୁନା ବେଣ୍ଟ ଚାମର ସେବା ପ୍ରଦାନ କରିଥାନ୍ତି ଏହାକୁ ରାଜନୀତି ସେବା କୁହାଯାଏ। ଏହି ରାଜନୀତି ପରେ ମୁଦିରସ୍ତ , ଦହି ସାକର ମଣୋହି କରାନ୍ତି ଓ ପ୍ରସାଦ ମଇଲମ କରାନ୍ତି। ଏହି ଦିନ ଯେଉଁ ବିଶେଷ ବଡ଼ ସିଂହାର ବେଶ ହୁଏ ସେଥିରେ ୬ (ଛଅ )ମୂର୍ତ୍ତି ଅଳଙ୍କାର ଦିଅଁମାନଙ୍କୁ ଲାଗି କାରାଯାଏ। ଏହି ୬ ମୂର୍ତ୍ତି ହେଲେ କୁଣ୍ଡଳ ୪ ମୂର୍ତ୍ତି ଓ ତଡଗି ୨ ମୂର୍ତ୍ତି ଅଳଙ୍କାର। ଏହି ବିଶେଷ ଏକାଦଶୀ ନୀତି ପାଇଁ ନିୟୋଜିତ ସେବକମାନେ ହେଲେ, ଘଟୁଆରୀ, ପୂଜାପଣ୍ଡା, ପତି ମହାପାତ୍ର, ମୁଦିରସ୍ତ, ପାଳିଆ ପୁଷ୍ପାଳକ, ବିମାନବଡୁ, ପାଳିଆ ପ୍ରତିହାରୀ, ଖଟ ଶେଜ ମେକାପ, ଆସ୍ଥାନ ପଢ଼ିଆରୀ, ସୁଧ ସୁଆର, ଚୁନରା, ପର୍ବଯାତ୍ରା ଯୋଗାଣିଆ, ଛତlର, ଘଣ୍ଟୁଆ, କାହାଳିଆ, ଦିହୁଡିଆ, ଭିତରଛ ମହାପାତ୍ର, ପାଳିଆ ମେକାପ, ଅଖଣ୍ଡ ମେକାପ, ପାଳିଆ ଖୁଣ୍ଟିଆ ଓ ଅମୂଣିଆ ଛତlର। ଆଗାମୀ ଅଧ୍ୟାୟରେ ଜାଣିବା ଅମାବାସ୍ୟା ନୀତି ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

ତୁ ଆତ୍ମା ସର୍ବଭୁତେ ପୂରି
ବସୁ ଗୁପତରୂପ ଧରି ।
ସକଳ ଦେଖୁ ତୁ ନୟନେ
ତୋତେ ନ ଦେଖେ କେହି ଜଣେ ।
ତୋହର ମାୟା ରେ ଜଗତ
ଅଜ୍ଞାନ ନିଦ୍ରାରେ ମୋହିତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.