ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କୁ ଅଡୁଆ କଲାଣି ବଳିଆପଣ୍ଡା ସ୍ଥିତ ଡମ୍ପିଂୟାର୍ଡ ବା ଅଳିଆ ଗଦା । ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଅଳିଆ ଗଦା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ଡମ୍ପିଂଆର୍ଡଟି ଗତ ୧୫ରୁ ୨୦ ବର୍ଷ ହେଲା ଏକ ପ୍ରମୁଖ ପ୍ରଦୂଷଣର କାରଣ ପାଲଟିଛି।
ଏହି ଡମ୍ପିଂୟାର୍ଡଟି ଆଠ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏବଂ ପ୍ରଥମେ ଏହି ବର୍ଜ୍ୟବସ୍ତୁରୁ ଜୈବ ସାର ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ୧୦ ବର୍ଷରୁ ଅଧିକ ସମୟ ଧରି ଏହି ପ୍ଲାଣ୍ଟ ଅଚଳ ହୋଇପଡ଼ିଛି। ଫଳରେ ଅଳିଆ ଗଦା ହେବା ସହ ଦୁର୍ଗନ୍ଧ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି।
ଡମ୍ପିଂୟାର୍ଡରେ ନିଆଁ ଲାଗିଲେ ସେଥିରୁ ବାହାରୁଥିବା ଧୂଆଁ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ଲୋକେ ଶ୍ୱାସକ୍ରିୟା ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ବର୍ଷାଦିନେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡ଼େ, ଯେତେବେଳେ ଅଳିଆ ଆବର୍ଜନା ପଚିବାକୁ ଲାଗିଥାଏ ଏବଂ ଦୁର୍ଗନ୍ଧ ଆହୁରି ଅସହ୍ୟ ହୋଇପଡ଼େ।
ଡମ୍ପିଂୟାର୍ଡ ଦ୍ୱାରା ସୃଷ୍ଟି ହୋଇଥିବା ଅପରିଷ୍କାର ପରିବେଶ ଯୋଗୁଁ ପୁରୀର ପର୍ଯ୍ୟଟନ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇପାରେ। ପୁରୀ ଜିଲ୍ଲା ପ୍ରଶାସନ ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯୋଜନା କରୁଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ।
ଯଥାଶୀଘ୍ର ଜୈବିକ ସାର କାରଖାନା କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ବାସିନ୍ଦା ପରାମର୍ଶ ଦେଇଛନ୍ତି। ଏହା ସହ ଡମ୍ପିଂୟାର୍ଡକୁ ଅଧିକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।
Comments are closed.