Latest Odisha News

BREAKING NEWS

କଂଗ୍ରେସର ନୂଆ ଫଣ୍ଡା, ଦଳ ଭିତରେ ଲଢ଼ନି, ବିଜେପିକୁ ସଫା କର!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଦଳୀୟ ସଙ୍ଗଠନକୁ ସଜାଡ଼ିଛି। ଦଳୀୟ କନ୍ଦଳ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି।

ହିମାଚଳ ଓ କର୍ଣ୍ଣାଟକରେ ଏହି କନ୍ଦଳକୁ ମ୍ୟାନେଜ କରି ଦଳ ସରକାର ଗଢିବାରେ ସମର୍ଥ ହୋଇଥିବାରୁ ଏବେ ଅନ୍ୟ ରାଜ୍ୟରେ ଥିବା କନ୍ଦଳକୁ ଦୂର କରିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛି।

ଏହି କ୍ରମରେ ରାଜସ୍ଥାନରେ ଦଳ ଗେହଲଟ ପାଇଲଟ ବିବାଦକୁ ମ୍ୟାନେଜ କରିବାରେ ସମର୍ଥ ହୋଇଥିବା ବେଳେ ଏବେ ଛତିଶଗଡ଼ରେ ମଧ୍ୟ ସମାନ ରଣନୀତି ଆପଣାଉଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ କୁହାଯାଉଥିବା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଟି ଏସ ସିଂଦେଓଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ପଦ ଦେଇଛି।

ଏହାର ମାତ୍ର ଦିନ କେଇଟା ନ ପୁରୁଣୁ କଂଗ୍ରେସ ଛତିଶଗଡ଼ରେ ପିସିସି ସଭାପତି ପରିବର୍ତ୍ତନ କରିଛି। ସାଂସଦ ଦୀପକ ବୈଜଙ୍କୁ ଛତିଶଗଡ଼ କଂଗ୍ରେସର ମୁଖିଆ ଦାୟିତ୍ୱ ଦିଆଯାଇଛି। ମୋହନ ମରକାମଙ୍କ ସ୍ଥାନ ନେଇଛନ୍ତି ଦୀପକ।

ଚଳିତ ବର୍ଷ ଶେଷ ଆଡ଼କୁ ଅର୍ଥାତ ଆଉ ମାତ୍ର ମାସ କେଇଟା ପରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ହଠାତ ମରକାମଙ୍କୁ କାହିଁକି ପିସିସି ମୁଖିଆ ପଦରୁ ହଟାଗଲା ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ମୋହନ ମରକାମ ଛତିଶଗଡ଼ର ବିଧାୟକ ରହିବା ସହ ପିସିସି ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। କିନ୍ତୁ କିଛି ଦିନ ତଳେ ପିସିସିର କିଛି ନୂଆ କାର୍ଯ୍ୟକାର୍ତ୍ତାଙ୍କ ନିଯୁକ୍ତି ନେଇ କେନ୍ଦ୍ରୀୟ ନେତୃତ୍ୱ ସହ ମରକାମଙ୍କ ମତଭେଦ ହୋଇଥିବା ଚର୍ଚ୍ଚା ହେଉଥିଲା। ଏଭଳି ସ୍ଥିତିରେ ତାଙ୍କୁ ସଭାପତି ପଦରୁ ହଟାଇ ଦୀପକ ବୈଜଙ୍କୁ ଦାୟିତ୍ୱ ଦିଆଯାଇଛି।

ଦୀପକ ବୈଜ ଛତିଶଗଡ଼ ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି। ମୋହନ ମରକାମ ୨୦୧୯ ମସିହାରେ ପିସିସି ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ତେଣୁ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ସ୍ଥିତିକୁ ଦେଖି କଂଗ୍ରେସ ଏଭଳି ପଦକ୍ଷେପ ନେଉଛି।

ଦଳରେ ଯେଭଳି କୌଣସି କନ୍ଦଳ ନ ରହିବ ଓ ସବୁ ନେତା ଏକ ହୋଇ ଲଢ଼ିବେ ତାକୁ କେନ୍ଦ୍ରୀୟ ନେତୃତ୍ୱ ଗୁରୁତ୍ୱ ଦେଉଛନ୍ତି। ଏପରିକି ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ବେଶ ମାପିଚୁପି ପଦକ୍ଷେପ ନେଉଛି।

ମଧ୍ୟପ୍ରଦେଶରେ କାହାକୁ ସ୍ପଷ୍ଟ ଭାବେ ମୁଖ୍ୟମନ୍ତ୍ରୀ ଚେହେରା କରାଯାଇ ନ ଥିବା ବେଳେ ରାଜସ୍ଥାନରେ ମଧ୍ୟ ସେଭଳି କରାଯାଇଛି। ତେଣୁ ନିର୍ବାଚନ ପୂର୍ବରୁ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳ କିମ୍ବା ମନୋମାଳିନ୍ୟ ଯେଭଳି ନିର୍ବାଚନ ଉପରେ ପ୍ରଭାବ ନ ପକାଏ ସେ ନେଇ ସବୁ ଉଦ୍ୟମ କରୁଛି ଦଳ। ନିଜ ଭିତରେ ଲଢେଇ ନ କରି କିଭଳି ବିରୋଧୀଙ୍କୁ ପ୍ରତିହତ କରିହେବ ସେ ନେଇ କାର୍ଯ୍ଯ କରିବା ଉପରେ ଗୁରୁତ୍ବ ଦେଉଛି କଂଗ୍ରେସ ।

Leave A Reply

Your email address will not be published.