ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ-ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଜାଣିବା ଏକ ବିଶେଷ ନୀତି “ବନକ ଲାଗି “ନୀତି । ମୁଖ୍ୟତଃ ଏହି ନୀତି କୁ ଶ୍ରୀମୁଖ ସିଂହାର ନୀତି ଭାବେ ବିବେଚନା କାରାଯାଏ । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ନୀତି ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାର ହେବାର ନିୟମ ଅଛି । ଏହି ନୀତି ଦ୍ବିପ୍ରହର ଧୂପ ଶେଷ ହୋଇ ଭିତର ଧୋ ପଖାଳ ହେବା ପରେ ମଇଲମ ଓ ତଡପ ଲାଗି ହୋଇଥାଏ । ତିନି ବାଡ଼ରେ ଆଳତି ହୋଇଥାଏ । ଏହି ଆଳତିକୁ ମଧ୍ୟାହ୍ନ ଆଳତି କୁହାଯାଏ । ଏହା ପରେ ଜୟ ବିଜୟ ଦ୍ୱାର ବନ୍ଦ କାରାଯାଏ । ତିନି ଜଣ ଦତ୍ତମହାପାତ୍ର ସେବକ ବନକ ବାଟି ସାରି ସ୍ୱତନ୍ତ୍ର ପେଡାରେ ସେହି ବନକ ଧରି ବେହରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠିଥାନ୍ତି । ଏହାପରେ ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ବନକ ଲାଗି ଆରମ୍ଭ କରିଥାନ୍ତି ।
ଏହି ବନକ ଲାଗିରେ ବ୍ୟବହୃତ ସାମଗ୍ରୀ ଯଥା କର୍ପୁର ଓ ଜଳ ମୁଦୁଲି ଙ୍କ ଠାରୁ ଓ ଶ୍ରୀକପଡା ଚାଙ୍ଗଡ଼ା ମେକାପଙ୍କଠାରୁ ନେଇଥାନ୍ତି । ମଝି ବାଡ଼ ର ବନକ ଲାଗି ସମୟରେ ପାଳିଆ ମେକାପ, ଅଖଣ୍ଡଙ୍କଠାରୁ ବଇଠା ନେଇ ଦେଖlନ୍ତି । ବନକ ଲାଗି ଶେଷ ହେବା ପରେ ଦତ୍ତ ମହାପାତ୍ରମାନେ ସିଂହାସନରୁ ଓଲ୍ହାଇ ଆସନ୍ତି । ପାଳିଆ ମେକାପ ସିଂହାସନଟିକୁ ଧୋଇ ସଫା କରନ୍ତି । ତିନିଜଣ ପୂଜାପଣ୍ଡା ସିଂହାସନ ତଳେ ବସି ଠାକୁର ମାନଙ୍କୁ ପଞ୍ଚାମୃତରେ ସ୍ନାନ କରlନ୍ତି । ବନକ ଲାଗି ପାଇଁ ହିଙ୍ଗୁଳ, ହରିତlଳ, ଶଙ୍ଖ, କେଶର, କର୍ପୁର, କଇଥ ଅଠା, କସ୍ତୁରୀ, କଳାତେଲ ଇତ୍ୟାଦି ଦରକାର ହୁଏ । ଆଗାମୀ ଅଧ୍ୟାୟରେ ଜାଣିବା ଏକ ବିଶେଷ ଶୀତ ଦିନ ନୀତି “ଘୋଡ ଲାଗି “ନୀତି ବିଷୟରେ । ଏବେ କରିବା ଆରାଧନା ଓ ଭାଗବତ ପଠନ ।
ଏ ରୂପେ ତ୍ରୟୋଦଶ ତତ୍ତ୍ୱ
କେହି ବା ବୋଲନ୍ତି ଏମନ୍ତ ।
ଜୀବ ପରମ ମନ ତିନି
ଏକଇ ଆତ୍ମା କେହୁ ମାନି ।
ପଞ୍ଚଇନ୍ଦ୍ରିୟ ପଞ୍ଚଭୁତ
କେ ବୋଲେ ଏକାଦଶ ତତ୍ତ୍ୱ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.