ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସେମାନଙ୍କ ଉଡ଼ାଜାହାଜ ଦିଲ୍ଲୀରେ ପହଂଚିଲା ବେଳକୁ, ବୀରା ସିଟ୍ରେ ଥାଇ, ଝର୍କା ଦେଇ ବାହାରକୁ ଚାହିଁଲା । ରନ୍ୱେଟି ସିମେଚାର ଥିଲା, କିନ୍ତୁ ବୀରା ଏଠିକୁ ଆସିଥିବା ପ୍ରତ୍ୟେକ ଥରର ସ୍ମୃତିର ରଙ୍ଗ , ଏ ରନ୍ୱେ ସାରା ବୋଳି ହୋଇଯାଇଥିଲା ଯେମିତି । ତିନିବର୍ଷ ପୂର୍ବେ, କ୍ରିସ୍ମାସ୍ରେ ଥରେ, ପୁଣିଥରେ ତାକୁ ବାରବର୍ଷ ହେଲାବେଳେ ଜନ୍ମଦିନ ଅବସରରେ… । ଫରକ ଏତିକି ଯେ ତା’ ମସ୍ତିଷ୍କର ବିଭିନ୍ନ କୋଠରୀରେ ନିଉୟର୍କକୁ ବୋହିନେବା ପାଇଁ ସୁଟ୍କେଶ୍ ଭର୍ତ୍ତି ସ୍ମୃତି ସବୁ ଏଥର ଆଉ ନାହିଁ । ଆଉ ସମୀରା ଦି’ ବି ନାହିଁ ଏଥରର ସ୍ମୃତିର ଫଟୋଗ୍ରାଫ୍ ସବୁକୁ ସେମାନଙ୍କ “ସିଷ୍ଟର୍ସ୍’ ସ୍କ୍ରାପ୍ବୁକ୍”ରେ କୋଲାଜ୍ କରି ସାଇତି ରଖିବା
ପାଇଁ ।
“ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆପଣମାନଙ୍କୁ ସ୍ୱାଗତ । ବାହାରର ତାପମାତ୍ରା ଏବେ ପାଖାପାଖି ୩୧ ଡ଼ିଗ୍ରୀ ସେଲ୍ସିଅସ୍ । ତିନିନମ୍ବର ବେଲ୍ଟ୍ରେ ଆପଣଙ୍କମାନଙ୍କ ସମସ୍ତ ଲଗେଜ୍ ଉପଲବ୍ଧ । ସିଟ୍ ବେଲ୍ଟ ଚିହ୍ନଟି ସୁଇଚ୍ ଅଫ୍ ହେବା ପର୍ଯ୍ୟନ୍ତ, ସିଟ୍ରେ ବସି ରହିବାକୁ ଆପଣମାନଙ୍କୁ ଅନୁରୋଧ କରାଯାଉଚି । ଆପଣଙ୍କ ବିମାନଯାତ୍ରା ପାଇଁ ୟୁନାଇଟେଡ଼୍ ଏୟାର୍ ୱେଏଜ୍କୁ ପସନ୍ଦ କରିଥିବାରୁ ଧନ୍ୟବାଦ ।” ଏକ ସ୍ପଷ୍ଟ ମଧୁର କଣ୍ଠସ୍ୱରରେ ମହିଳା ଜଣକର ଉଦ୍ଘୋଷଣା ବୀରା ପାଖରେ ବସିଥିବା ସିଡ଼୍କୁ ଏକ ଝଟ୍କାରେ ଉଠେଇ ଦେଲା ।
ଏପଟ ସେପଟ ଚାହିଁ ଅଳସୁଆ ଭାବରେ ସିଡ଼୍ କହିଲା, “କ’ଣ, ଆମେ ଆସି ପହଞ୍ଚିଗଲେ?
ତାକୁ ଥଟ୍ଟା କରି ରୋହାନ୍ କହିଲା, “ନାଇଁ ନାଇଁ, ଆମେ ଏବେ ବି ରନ୍ୱେରେ ଅଛେ । ଅଳ୍ପ ସମୟ ପରେ ଆକାଶରେ ଉଡ଼ିବା” । ସିଡ଼୍ ତା’ ଭାଇକୁ ରାଗିକରି ଚାହିଁବା ଦେଖି, ବୀରା ଟିକେ ହସି ଦେଲା ।
ଉଡ଼ାଜାହାଜର ଗତି କମିବା ମାତ୍ରେ ଯାତ୍ରୀମାନେ ଛିଡ଼ା ହୋଇପଡ଼ି ତରବରିଆ ଭାବରେ ମୁଣ୍ଡ ଉପରେ ଥିବା କ୍ୟାବିନ୍ରୁ ନିଜ ନିଜର ବ୍ୟାଗ୍ କାଢ଼ିବା ଆରମ୍ଭ କଲେ । ମିଃ. ପରିମଲ୍ ମଧ୍ୟ ନିଜ ସିଟ୍ ଛାଡ଼ି ପିଲାମାନଙ୍କ ପାଖକୁ ଉଠି ଆସିଲେ ।
କ୍ରମଶଃ
Comments are closed.