Latest Odisha News

BREAKING NEWS

ଜଣେ କି ଦୁଇ ଜଣ ନୁହେଁ, ପୂରା ଗାଁର ଅଧିକାଂଶ ଲୋକଙ୍କୁ ଠକି ଦେଇଛନ୍ତି ସାଇବର ଠକ

ବ୍ରହ୍ମପୁର: ଜଣେ କି ଦୁଇ ଜଣ ନୁହେଁ ପୁରା ଗୋଟିଏ ଗାଁକୁ ଠକି ଦେଇଛନ୍ତି ସାଇବର ଠକ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମରେ ଏକ ମୋବାଇଲ ଆପ୍ ଜରିଆରେ ଶହ ଶହ ନିଯୁକ୍ତିର ଆଶା ଦେଖାଇ ବେକାର ଯୁବକ ଯୁବତୀ ଓ ଗ୍ରାମବାସୀଙ୍କ ଠାରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ପରେ ଘଟଣା ସାମ୍ନାକୁ ଆସିଛି।

ଠକେଇକାରୀମାନେ ଗ୍ରାମବାସୀଙ୍କୁ ସେମାନଙ୍କ ନିବେଶର ୧୦ ଗୁଣା ଯାଏ ଦୈନିକ ଆୟର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରିଥିଲେ। ସେମାନେ ଏକ ମୋବାଇଲ୍ ଆପ୍ ତିଆରି କରି ଗ୍ରାମବାସୀଙ୍କୁ ଏହି ଆପରେ ଟଙ୍କା ଜମା କରିବାକୁ କହିଥିଲେ। ଏହି ଆପରେ ୮ ହଜାରରୁ ଆରମ୍ଭ କରି ୨୩ ହଜାର ଟଙ୍କା ଯାଏ ଟଙ୍କା ଜମା କରିଥିଲେ ଗ୍ରାମବାସୀ।

ତେବେ ପ୍ରାଥମିକ ଜମା ପରେ ଗାଁ ଲୋକଙ୍କ ୱାଲେଟକୁ ଟଙ୍କା ପଠାଇବା ବନ୍ଦ କରିଦେଇଥିଲେ ଠକେଇକାରୀ। କଷ୍ଟ ଉପାର୍ଜିତ ଅର୍ଥ ହରାଇଥିବାରୁ ଗ୍ରାମବାସୀ ଏବେ ମାନସିକ ଚାପରେ ଅଛନ୍ତି। ବଡ଼ରାମପଲ୍ଲୀ ଗାଁର ଅଭିରାମ ଗୌଡ଼ କହିଛନ୍ତି, ଗାଁ ଲୋକେ ନିବେଶର ଦଶଗୁଣା ରୋଜଗାର କରିବା ପାଇଁ ଆପରେ ଟଙ୍କା ଜମା କରିଥିଲେ। ତେବେ ଏହି ଆପ୍ କାମ କରୁନାହିଁ ଏବଂ ସେମାନଙ୍କୁ ଆଉ ଓ୍ୱାଲେଟରେ ଟଙ୍କା ମିଳୁନାହିଁ। ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲେ ମଧ୍ୟ ଏଯାଏଁ ଠକେଇକାରୀଙ୍କ ପତ୍ତା ମିଳିନାହିଁ।

ଏହା ଏକ ବଡ଼ ସାଇବର ଠକେଇ ମାମଲା ହୋଇଥିବା ବେଳେ ଏଥିରେ ଗ୍ରାମବାସୀଙ୍କ ବହୁ ଆର୍ଥିକ କ୍ଷତି ହୋଇଛି। ଠକେଇକାରୀଙ୍କୁ ଠାବ କରି ଆଇନର ଆଶ୍ରୟ ନେବା ପାଇଁ ପୁଲିସ ତୁରନ୍ତ ପଦକ୍ଷେପ ନେଉଥିବା ସୂଚନା ରହିଛି।

Comments are closed.