Latest Odisha News

ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ପାଇଁ ସ୍ୱତନ୍ତ୍ର ଥଇଥାନ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତ୍ତି ଅଧିଗ୍ରହଣ ପାଇଁ ଏକ ସ୍ୱତନ୍ତ୍ର ଥଇଥାନ ଓ ପୁନର୍ବାସ ନୀତି ଘୋଷଣା କରିଛନ୍ତି ।

ଏହି ନୀତି ଅନୁଯାୟୀ ବାସଗୃହ ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସହାୟତା ଅନ୍ତର୍କ୍ତୃକ୍ତ । ସ୍ଥାନାନ୍ତରିତ ହେଉଥିବା ପରିବାରଗୁଡ଼ିକୁ ପରିବହନ ତଥା ଆନୁଷଙ୍ଗିକ ଖର୍ଚ୍ଚ ସହିତ ୫୦ ହଜାର ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯିବ ।

ବିସ୍ଥାପିତ ପରିବାର ଗୁଡ଼ିକ ବାସଗୃହ କିମ୍ବା ଜମି ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ଦିଆଯିବ । ଏକକାଳୀନ ସହାୟତା ନେଉଥିବା ପରିବାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ସେହିପରି ପୁନର୍ବାସ ଯୋଜନା ଅନୁଯାୟୀ, ବିସ୍ଥାପିତ ପରିବାରର ଗୋଟିଏ ପରିବାର ଏକକାଳୀନ ୩୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ କିମ୍ବା ମନ୍ଦିରର ୧.୫ କିମି ଅଞ୍ଚଳ ମଧ୍ୟରେ ପ୍ରସ୍ତାବିତ ପୁନର୍ବାସ ଥଇଥାନ କଲୋନୀରେ ୫୨୦ ବର୍ଗଫୁଟ ପରିମିତ ଘର କିମ୍ବା ମନ୍ଦିରର ୩ କିମି ମଧ୍ୟରେ ୪୦ ଗୁଣନ ୨୫ ଫୁଟର ଏକ ଯାଗା ।

ଦୋକାନ ଗୃହ ଅଧିଗ୍ରହଣ ସହାୟତା:

କ୍ଷତିପୂରଣ: ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏକକାଳୀନ ୫୦ ହଜାର ଟଙ୍କା ।

ଦୋକାନ ଘର ପାଇଁ ୨ ପ୍ରକାର ସହାୟତା ଘୋଷଣା ହୋଇଛି, ସେଥିମଧ୍ୟରୁ ଗୋଟିଏ ବାଛିବେ ।

୨୦୦ ବର୍ଗ ଫୁଟରୁ କମ୍, ୨୦୦ ଓ ୫୦୦ ବର୍ଗଫୁଟ ମଧ୍ୟରେ ଏବଂ ୫୦୦ ବର୍ଗଫୁଟରୁ ଅଧିକ ବିଲ୍ଟଅପ ଏରିଆରେ ଥିବା ଦୋକାନ ପାଇଁ ମାସିକ ୫ ହଜାର, ୧୦ ହଜାର ଏବଂ ୧୫ ହଜାର ଟଙ୍କା ଘର ଭଡ଼ା ଦିଆଯିବ ।

କିମ୍ବା ଜିଲ୍ଲାପାଳଙ୍କ ସହାୟତାରେ ପୁରୀର ବିଭିନ୍ନ ମାର୍କେଟ କମ୍ଲେକ୍ସରେ ଉପଲବ୍ଧ ଦୋକାନ ଘର ଦିଆଯିବ । ସେହିପରି ପୁନର୍ବାସ ସହାୟତା ଅନୁଯାୟୀ ସିକ୍ୟୁରିଟି ଜୋନ୍ ଭିତରେ ଥିବା ପ୍ରତ୍ୟେକଟି ଦୋକାନ ପାଇଁ ଥଇଥାନ ବ୍ୟବସ୍ଥା କରାଯିବ ।

ସୁରକ୍ଷିତ ଜୋନ ମଧ୍ୟରେ ଥିବା ମଠ ପାଇଁ ଏକ ବିସ୍ତୃତ ଥଇଥାନ, ସଂରକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ମଠର ଗାଦି ଓ ପ୍ରତିଷ୍ଠିତ ଦେବାଦେବୀଙ୍କ ପୀଠର ସଂରକ୍ଷଣ କରାଯିବ ।

ପ୍ରତ୍ୟେକ ମଠର ସ୍ୱତନ୍ତ୍ର ପରିଚୟ ରହିଥିବାରୁ ସେଗୁଡ଼ିକର ପୁର୍ବିନ୍ୟାସ ସମୟରେ ସଂପୃକ୍ତ ମଠର କୀର୍ତ୍ତିରାଜିର ସଂରକ୍ଷଣ କରାଯିବା ସହିତ ଶ୍ରୀମନ୍ଦିରରେ ସେବାପାଇଁ ଥିବା ପାରମ୍ପରିକ ବ୍ୟବସ୍ଥା ବଜାୟ ରଖାଯିବ ।

ଜିଲ୍ଲାପାଳଙ୍କ ନୋଟିସ ଅନୁଯାୟୀ, ବିଜ୍ଞପ୍ତି ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସୁରକ୍ଷା ଜୋନରେ ଥିବା ସେମାନଙ୍କର ସମ୍ପତ୍ତି ସରକାରଙ୍କୁ ହସ୍ତାନ୍ତର କରିବେ ସେମାନଙ୍କୁ ପ୍ୟାକେଜ୍ ସହିତ ୧୦ ପ୍ରତିଶତ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

 

Leave A Reply

Your email address will not be published.