ଭଦ୍ରକ: ରାଜ୍ୟର ବହୁ ପୁରାତନ ଶୈବପୀଠ ଆରଡି ଧାମରେ ସୋମବାର ଅଧିଷ୍ଠିତ ପ୍ରଭୁ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ସିଦ୍ଧିମଣ୍ଡପ(ମୁକ୍ତିମଣ୍ଡପ)ର ଅଧିପତି ତଥା ବାବା ବୁଢା ଗଣେଶଙ୍କ ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ଲାଗି ହୋଇଛି ୧୫୧ ଥାଳି ଭୋଗ । ଏହି ପରମ୍ପରା ନୀତିକାନ୍ତି ଦୀର୍ଘ ୪ଶହ ବର୍ଷ ଧରି ପାଳିତ ହୋଇ ଆସୁଥିବା ମନ୍ଦିରର ପୁରୁଖା ସେବାୟତମାନେ ପ୍ରକାଶ କରିଛନ୍ତି ।
ଲାଗି ହେଉଥିବା ଭୋଗ ମନ୍ଦିରର ସେବାୟତ ତଥା ପୀଠର ଅଧିବାସୀମାନଙ୍କ ପକ୍ଷରୁ ଲାଗି ହୋଇଥାଏ ଏହି ଭୋଗ । ଏପରିକି ଶୁଦ୍ଧ ଘିଅରେ ପ୍ରସ୍ତୁତ ମାଣ୍ଡୁଅ,ଲଡୁ,ପୁରୀ,କାକରା,ମାଲପୁଆ, ମଣ୍ଡା, କରଞ୍ଜି ,ମୁଆଁ ,ପଂଚାମୃତ,ଖୀରସାଗର,ରସଗୋଲା ନାନାଦି ପ୍ରକାର ପ୍ରସ୍ତୁତ କରାଯାଇ ସନ୍ଧ୍ୟାରେ ଅଣାଯାଇଥାଏ ସିଦ୍ଧମଣ୍ଡପକୁ । ପୀଠରେ ଦୀର୍ଘ ୪ଶହ ବର୍ଷ ଧରି ପୂଜା ପାଇ ଆସୁଥିବା ବୁଢାଗଣେଷଙ୍କ ପୂଜା ମହା ଆଡମ୍ବରେ ପାଳିତ ହେଉଅଛି ।ପବିତ୍ର ଭାଦ୍ରବମାସ ଶୁକ୍ଳପକ୍ଷ ଅବସରରେ ସୋମବାର ଦିନ ମନ୍ଦିରର ରୀତିନୀତି ଅନୁଯାୟୀ ଭୋର ୪ଘଟିକାରେ ମଣିବାବାଙ୍କ ପହୁଡ ଫିଟା ହେବା ପରେ ମଙ୍ଗଳ ଆରତୀ, ମହାସ୍ନାନ, ବାଲ୍ୟଭୋଗ ଲାଗି ହେଉଥିବା ବେଳେ ମନ୍ଦିର ଦକ୍ଷିଣ ପାଶ୍ୱର୍ରେ ଥିବା ସିଦ୍ଧମଣ୍ଡପ ଠାରେ ବୁଢାଗଣେଷଙ୍କ ମନ୍ଦିରରେ ଅନୁରୂପ ଭାବେ ସମସ୍ତ ନୀତି ପୂଜା କରାଯାଇଥିଲା ।
ଦିବା ୧ଘଟିକା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ଅପରାହ୍ନ ୪ଘଟିକାରେ ବାବାଙ୍କୁ ଚନ୍ଦନ, ଫୁଲ ଆଦିରେ ବଡସିଂହାର ବେଶରେ ସଜ୍ଜିତ କରାଯିବା ସହ ବିଘ୍ନରାଜ ବୁଢାଗଣେଷଙ୍କୁ ଚନ୍ଦନ ଫୁଲ ଆଦିରେ ଗଜାନନ ବେଶ କରାଯାଇଥିଲା । ପରେ ଘଟ ଉତୋଳନ ନିମନ୍ତେ ଘଂଟାକିର୍ତନ ସହ ଭକ୍ତମାନଙ୍କ
ହରିବୋଲ ଧ୍ୱନିରେ ଘଟକୁ ମନ୍ଦିର ବେଢା ପ୍ରଦକ୍ଷଣ କରାଯାଇ ପବିତ୍ର ଶିବଗଙ୍ଗା ପୁଷ୍କରିଣୀରେ ବ୍ରାହ୍ମଣମାନଙ୍କ ମନ୍ତ୍ରପାଠରେ ଘଟ ଉତ୍ତୋଳନ କରାଯିବା ପରେ ବୁଢାଗଣେଷଙ୍କ ଆସ୍ଥାନରେ ସ୍ଥାପନ କରାଯାଇ , ଷୋଡଶ ଉପଚାର ପୂଜା, ପାଶ୍ୱର୍ଦେବତା ପୂଜା, ମହାସ୍ନାନ, ହୋମ, ଆଦି କରାଯାଇଥିଲା । ମନ୍ଦିରର ବହୁ ପୁରୁଖା ସେବାୟତଙ୍କ କହିବା ଅନୁଯାୟୀ ପବିତ୍ର ଗଣେଷ ପୂଜା ପୀଠରେ ଦିର୍ଘ୍ୟ ୪ଶହ ବର୍ଷ ଧରି ପୂଜା ହୋଇ ଆସୁଥିବା ବେଳେ ଏଠାରେ ଲାଗି ହେଉଥିବା ବିଭିନ୍ନ ପ୍ରକାରର ଭୋଗ ରାଜ୍ୟରେ ଥିବା ଦେବାଦେବୀଙ୍କ ମନ୍ଦିର ଠାରୁ ନିଆରା ।
ସେହିପରି ପୀଠରେ ବିଭିନ୍ନ ଅନୁଷ୍ଠାନ ,ବ୍ୟବସାୟୀକ ପ୍ରତିଷ୍ଠାନ.ଶିକ୍ଷାନୁଷ୍ଠାନ, ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଆଦି ସ୍ଥାନରେ ବେଶ ଧୁମ୍ଧାମରେ ପବିତ୍ର ଗଣେଶ ପୂଜା ପାଳିତ ହେଉଥିବା ବେଳେ ମେଡିକାଲ ଛକସ୍ଥିତ ଗଣେଶ କମିଟି, କଲ୍ୟାଣମଣ୍ଡପସ୍ଥିତ ଗଜାନନ କମିଟି ପକ୍ଷରୁ ବଡବଡ ତୋରଣ କରାଯାଇ ପାଞ୍ଚଦିନ ଧରି ପୂଜା ପାଳିତ କରାଯାଉଥିବା କମିଟି ପକ୍ଷରୁ ଜଣାଯାଇଛି ।