Latest Odisha News

BREAKING NEWS

ଅଗଷ୍ଟ ପହିଲାରୁ  ଆରମ୍ଭ ହେବ ‘ଢାଇ ଅକ୍ଷର ପତ୍ର’ ପ୍ରତିଯୋଗିତା

ଭୁବନେଶ୍ୱର:ଢାଇ ଅକ୍ଷରର ପତ୍ର । କିଏ ଲେଖିବ କେମିତି ? ଏ ନେଇ ଅଗଷ୍ଟ ପହିଲାରେ ଡାକ ବିଭାଗ ପକ୍ଷରୁ ଢାଇ ଅକ୍ଷର ପତ୍ରଲିଖନ ପ୍ରତିଯୋଗିତା ଆୟୋଜିତ ହେଉଛି। ‘ଡିଜିଟାଲ ଇଣ୍ଡିଆ ଫର ନ୍ୟୁ ଇଣ୍ଡିଆ’ ବା   ’ନୂତନ ଭାରତ ପାଇଁ ଡିଜିଟାଲ ଭାରତ’ ବିଷୟବସ୍ତୁକୁ ନେଇ ହେବ ଏହି ପ୍ରତିଯୋଗିତା । ପ୍ରତିଯୋଗିତା ଅଗଷ୍ଟ ୧ରୁ ଆରମ୍ଭ ହୋଇ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଚାଲିବ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ବ୍ୟକ୍ତି ମୁଖ୍ୟ ମହାଡାକପାଳ, ଓଡ଼ିଶା ମଣ୍ଡଳ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର ଲେଖି ପଠାଇପାରିବେ ।

ଦୁଇଟି ବୟସ ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ  । ଗୋଟିଏ ୧୮ ବର୍ଷରୁ କମ୍‌ ଏବଂ ୧୮ ବର୍ଷରୁ ଅଧିକ ।  ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପଠାଇବେ ।

ଲଫାଫା ବର୍ଗରେ ଲେଖା ପଠାଇବାକୁ ଚାହୁଁଥିବା ବ୍ୟକ୍ତି ଏ-ଫୋର୍‌ କାଗଜରେ ପତ୍ର ଲେଖି ପଠାଇବେ । ଏହି ବର୍ଗରେ ପତ୍ରର ଶବ୍ଦ ସଂଖ୍ୟା ୧୦୦୦ରୁ ଅଧିକ ହେବା ଉଚିତ୍‌ ନୁହେଁ।

ଅନ୍ୟପଟେ ଅନ୍ତର୍ଦେଶୀୟ ପତ୍ର କାର୍ଡ ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ପତ୍ର ଲେଖି ପ୍ରତିଯୋଗୀମାନେ ପଠାଇପାରିବେ । କେବଳ ହାତରେ ଲେଖା ହୋଇଥିବା ପତ୍ରକୁ ଗ୍ରହଣ କରାଯିବ, ଟାଇପ୍‌ ହୋଇଥିବା ପତ୍ର ଗ୍ରହଣଯୋଗ୍ୟ ହେବ ନାହିଁ ।

ମଣ୍ଡଳ ସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ୨୫,୦୦୦, ୧୦,୦୦୦ ଏବଂ ୫,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଅନ୍ୟପଟେ ଜାତୀୟ ସ୍ତରରେ ପ୍ରଥମ ତିନି ପୁରସ୍କାର ବିଜେତାଙ୍କୁ ୫୦,୦୦୦, ୨୫,୦୦୦ ଏବଂ ୧୦,୦୦୦ ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା ରହିଛି । ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ ଡାକ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇପାରିବ ।

Comments are closed.