Latest Odisha News

ନାବାଳକଙ୍କୁ ବଳି ଦିଆ ଯାଇଥିବା ସନ୍ଦେହ, ପୋଲିସ ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ପୁଅର ଦେହ ସବୁବେଳେ ଖରାପ ହେଉଥିଲା । ତେଣୁ ମାଆ ନେଇଥିଲା ଠାକୁରାଣୀଙ୍କ ପାଖକୁ । ପୂଜାର୍ଚ୍ଚନା କରିବା ସହ ମାଆପୁଅ ସେଠି ରାତିରେ ରହିଥିଲେ । ହେଲେ ସକାଳ ହେଲା ବେଳକୁ ମାଆ ପାଖରେ ପୁଅ ନଥିଲା । ଆଉ ଘଟଣାର ୬ ଦିନ ପରେ ନିକଟସ୍ଥ ଜଙ୍ଗଲରୁ ମିଳିଛି ପୁଅର ଝୁଲନ୍ତା ମୃତଦେହ । ହେଲେ ମୃତଦେହର ଅଣ୍ଟା ତଳ ଅଂଶ ଗୋଡ଼ ଆଦି ନାହିଁ । ନାବାଳକ ଜଣଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ବାରେଣୀ ଛକରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିଛନ୍ତି । ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ୨୨ ତାରିଖରେ କିଆକଟାର ବାସନ୍ତୀ ବିଶ୍ୱାଳ ପୁଅ ସଞ୍ଜିତର ଦେହ ଭଲ ନଥିବାରୁ ନିକଟସ୍ଥ ଟୁସର ଗାଁକୁ ଯାଇଥିଲେ । ସେଠାରେ ମା ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ମଙ୍ଗଳା କୋଠିରେ ଅଧିଆ ପଡ଼ିଥିଲେ ମାଆ, ପୁଅ । ହେଲେ ସକାଳ ପାଇବା ବେଳେକୁ ମାଆ ପାଖରେ ପୁଅ ନଥିଲା ।

ଅନେକ ଖୋଜାଖୋଜି କରିବା ପରେ ୧୪ ବର୍ଷର ସଞ୍ଜିତଙ୍କୁ ପାଇ ନଥିଲେ ବାସନ୍ତୀ । ଫଳରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ଆଜି ବାରିଣୀ ଜଙ୍ଗଲରୁ ସଞ୍ଜିତଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିବା ବେଳେ ଅଣ୍ଟ ତଳ ଭାଗ ଗୋଡ଼ ଆଦି ଅଂଶ ନାହିଁ । ଫଳରେ ନାବାଳକ ଜଣଙ୍କୁ ବଳି ଦିଆ ଯାଇଥିବା ଲୋକେ ସନ୍ଦେହ କରିବା ସହ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତାରୋକ କରିଥିବା ଉତ୍ତ୍ୟକ୍ତ ଲୋକ ପୋଲିସ୍ ଭ୍ୟାନ୍ ଜାଳି ଦେଇଛନ୍ତି ।

Leave A Reply

Your email address will not be published.