Latest Odisha News

ଶ୍ରୀମନ୍ଦିିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ପାଇଁ ସରକାର ଡରୁଛନ୍ତି-ଜଗନ୍ନାଥ ସେନା

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ହେଲେ ଏହି ବୈଠକକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ବୈଠକକୁ ଘୋର ବିରୋଧ କରିଛି ଜଗନ୍ନାଥ ସେନା । ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ବୈଠକରେ ଆଲୋଚନା କରାଯାଉ ନାହିଁ । ବୈଠକରେ ଭକ୍ତଙ୍କ ଭାବାବେଗକୁ ଗୁରୁତ୍ୱ ଦିଆ ଯାଉନାହିଁ  । ଅନ୍ୟପକ୍ଷେ ଅଣ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରି ପରିଚାଳନା ମିଟିଂ ସାରି ଦିଆଯାଉଥିବା  ଅଭିଯୋଗ ଆଣିଛି ଜଗନ୍ନାଥ ସେନା ।

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି କହିଛନ୍ତି, ମହାପ୍ରଭୁଙ୍କ ଅସୁରକ୍ଷିତ ରତ୍ନଭଣ୍ଡାର କୁ ଖୋଲି ମରାମତି କରିବାକୁ ଭକ୍ତଙ୍କ ଦାବି ଜୋର ଧରିଥିବା ବେଳେ ଚଳିତଥର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ସ୍ଥାନ ପାଇନାହିଁ ପ୍ରସଙ୍ଗ । ଯାହାକୁ ନେଇ ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଖୋଦ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟନାୟକ । ଏସମ୍ପର୍କରେ ସୁଦର୍ଶନଙ୍କ ଚିଠିପରେ ବି ଏଜେଣ୍ଡାରେ ସ୍ଥାନ ପାଇନାହିଁ ରତ୍ନଭଣ୍ଡାର ପ୍ରସଙ୍ଗ ।

ବିଗତ ଦିନରେ ଚାରିଦ୍ୱାର ଖୋଲିବା ଦାବି ଜୋର ଧରିଥିବା ବେଳେ ପରିଚାଳନା କମିଟି ଏଜେଣ୍ଡାରେ କିନ୍ତୁ ସ୍ଥାନ ପାଇନାହିଁ ଏହି ପ୍ରସଙ୍ଗ ।  ସିଂହଦ୍ୱାରରୁ ୧୫ ବର୍ଷଧରି ଦଶବତାର ମୂର୍ତ୍ତି କଢାଗଲାଣି ସେ ନେଇ ଆଲୋଚନା ହେଉନି । ଏମାରମଠରୁ ଜବତ ରୂପାଇଟା ପ୍ରସଙ୍ଗ, କୋହିନୂର ହୀରା ପ୍ରସଙ୍ଗ ମଧ୍ୟ ପଡୁନାହିଁ । କାରଣ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନ କରିବାକୁ ସରକାର ଡରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ ।

ସୂଚନାଥାଉ କି, ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହ ଠାରେ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହା ହେବ ପ୍ରଥମ ବୈଠକ  । ସେ ଦୃଷ୍ଟିରୁ ଏହାର  ଗୁରୁତ୍ୱ ରହିଛି । ତେବେ ଏହି ବୈଠକରେ ୭ଟି ପ୍ରସଙ୍ଗ ସ୍ଥାନ ପାଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା କିମ୍ବା ଚାରିଦ୍ୱାର ଖୋଲିବା ଦାବିକୁ ଏଜେଣ୍ଡାରେ ସ୍ଥାନ ଦିଆଯାଇନାହିଁ ।

ତେଣୁ ଏହି ମିଟିଂକୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରତିବାଦ କରିଛି ଜଗନ୍ନାଥ ସେନା। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସ୍ଥାନ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ସେଵାୟତ ।  ଏ ନେଇ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଗଜପତି ମହାରାଜ ଏବଂ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦାନ କରିଛି ଜଗନ୍ନାଥ ସେନା ।

Comments are closed.