Latest Odisha News

BREAKING NEWS

ଯାଜପୁର ରୋଡ଼ ଓ ଧାମରା ରେଳ ପଥ ନିର୍ମାଣ ବିଚାର କରାଯିବ: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ନୂତନ ରେଳପଥ ନିର୍ମାଣ ପ୍ରକଳ୍ପକୁ ବନ୍ଦର ଭିତ୍ତିକ ଯୋଜନା ମଧ୍ୟରେ ସାମିଲ କରାଯିବାକୁ ବିଚାର କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ପ୍ରାକ୍ତନ ସାଂସଦ ଡ଼. ରାମଚନ୍ଦ୍ର ଖୁଣ୍ଟିଆ ଓ ଆବାହକ ସନ୍ତୋଷ କୁମାର ଦାସଙ୍କର ମିଳିତ ନେତୃତ୍ୱରେ ଏକ ୧୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଆଜି ରେଳଭବନଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିବା ପରେ ଏହି ସୂଚନା ଆସିଛି।

ଏହି ଅବସରରେ ପ୍ରତିନିଧି ମଣ୍ଡଳ ଏକ ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ସାକ୍ଷାତକାର ସମୟରେ ଅନୁଷ୍ଠିତ ଆଲୋଚନାରେ ଭାଗ ନେଇ ଆନ୍ଦୋଳନ କାରୀ ନେତାମାନେ ଏହି ପ୍ରକଳ୍ପର ଆର୍ଥିକ ଉପଯୋଗୀତା ଏବଂ ସାମାଜିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ପ୍ରସ୍ତାବିତ ରେଳପଥର ବୈଷୟିକ ଦିଗ ସମ୍ପର୍କରେ ଏହାର ନକ୍ସାକୁ ଆଧାର କରି ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ବିଚାର ବିମର୍ଷ କରିଥିଲେ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ବୈଠକରେ ଉପସ୍ଥିତ ଥିବା ରେଳବାଇ ବୋର୍ଡର ଦୁଇ ବିଶେଷଜ୍ଞ ସଦସ୍ୟଙ୍କୁ ତୁରନ୍ତ ଏ ଦିଗରେ ସବିଶେଷ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ନୂଆଦିଲ୍ଲୀର ଜନ୍ତର-ମନ୍ତର ଠାରେ ଏହି ଦାବୀକୁ କେନ୍ଦ୍ର କରି ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା। ଯାଜପୁର ରୋଡ଼ ଓ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଶତାଧିକ ଓଡ଼ିଆ ଯୋଗ ଦେଇଥିଲେ। ଧାରଣା ସ୍ଥଳରେ ସଂଗ୍ରାମ ସମିତିର ଆବାହକ ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ପୂର୍ବତନ ସାଂସଦ ଡ଼.ରାମଚନ୍ଦ୍ର ଖୁଣ୍ଟିଆ, ସାଂସଦ ସପ୍ତଗିରି ଉଲ୍ଲକା, ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟନାୟକ, ସି.ପି.ଆଇ(ଏମ)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ,ସି.ପି.ଆଇ ର କେନ୍ଦ୍ରୀୟ ନେତା ଦିନେଶ ଭୂଷଣ ଓ ପୂର୍ବତନ ବିଧାୟକ ଭୁଜବଳ ମାଝୀ ପ୍ରମୁଖ ଉଦବୋଧନ ଦେଇ ଓଡ଼ିଶାର ଏହି ଯୁକ୍ତିଯୁକ୍ତ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ମାନି ନେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ।

ଆନ୍ଦୋଳନକାରୀମାନେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ବୈମାତୃକ ମନୋଭାବ ପ୍ରଦର୍ଶନ ବିରୁଦ୍ଧରେ ଘୋର ପ୍ରତିବାଦ ଜଣାଇଥିଲେ। ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ରେଳପଥ ନିର୍ମାଣ ହେଲେ ୨୭.୪୩ ଶତାଂଶ ଲାଭର ସମ୍ଭାବନା ଥିବା ବେଳେ ଏହାକୁ ମଞ୍ଜୁର କରା ନ ଯାଇ ଏହାଠାରୁ କମ ତଥା ଶୂନ୍ୟ କିମ୍ବା ବିଯୁକ୍ତାତ୍ମକ ପରିମାଣର ଲାଭ ହେବାର ସମ୍ଭାବନା ଥିବା ପ୍ରକଳ୍ପଗୁଡିକୁ ସ୍ୱୀକୃତି ଦେଇ ରେଳବାଇ କର୍ତ୍ତୃପକ୍ଷ ଓଡ଼ିଶାପ୍ରତି ପାତର ଅନ୍ତର ମନୋଭାବ ପୋଷଣ କରୁଥିବା ବକ୍ତାମାନେ ଅଭିଯୋଗ କରିଥିଲେ।

ଓଡ଼ିଶାରୁ ରେଳବାଇ ବାର୍ଷିକ ସର୍ବାଧିକ ତିରିଶି ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିଲେ ହେଁ ୯୬ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ମାତ୍ର ୧୦୪୨ କୋଟି ୬୨ ଲକ୍ଷ ଟଙ୍କାର ବରାଦ କରୁନଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଥିଲେ। ଯାଜପୁର ରୋଡ଼ ଓ ଧାମରା ମଧ୍ୟରେ ଯାଜପୁର ଟାଉନ ଓ ଆରଡ଼ି ବାଟ ଦେଇ କଥିତ ରେଳପଥ ନିର୍ମାଣ କରାଗଲେ ଯାଜପୁର ଜିଲ୍ଲାର ସଦର ମହକୁମା ସହ ରେଳ ସଂଯୋଗ ପ୍ରତିଷ୍ଠା କରାଯାଇପାରିବ।ଏହାବ୍ୟତୀତ ବିରଜା କ୍ଷେତ୍ର, ଆରଡ଼ିର ଶୈବ ପୀଠ, ଧାମରାର ଧାମରାଇ ମନ୍ଦିର, ଯାଜପୁର ରୋଡ଼ର ବ୍ୟାସ ସରୋବର ଓ ଭିତର କନିକାର କୁମ୍ଭୀର ଅଭୟାରଣ୍ୟ ଭଳି ପର୍ଯ୍ୟଟନ ଆକର୍ଷଣ ସ୍ଥଳଗୁଡିକର ମଧ୍ୟ ବ୍ୟାପକ ବିକାଶ ସମ୍ଭବପର ହୋଇପାରିବ ବୋଲି ମତପ୍ରକାଶ ପାଇଛି।

ସେହିପରି ଯାଜପୁର, କେନ୍ଦୁଝର, ଅନୁଗୁଳ ଜିଲ୍ଲାର କ୍ରୋମାଇଟ, କୋଇଲା, ଲୁହାପଥର ଓ ମାଙ୍ଗାନିଜ ଭଳି ଖଣିଜ ପଦାର୍ଥ ଗୁଡିକର ପରିବହନ ମଧ୍ୟ ସୁଵିଧାଜନକ ହୋଇପାରିବ। କଳିଙ୍ଗ ନଗର ଓ ନାଲକୋର ଶିଳ୍ପଜାତ ଦ୍ରବ୍ୟର ସରବରାହ ମଧ୍ୟ ସ୍ଵଳ୍ପ ଵ୍ୟୟରେ ତ୍ୱରାନ୍ୱିତ କରାଯାଇପାରିବ।

Comments are closed.