Latest Odisha News

BREAKING NEWS

ପାକିସ୍ତାନ ଆତଙ୍କୀଙ୍କୁ ଅଜଣା ବନ୍ଧୁକ ଧାରିଙ୍କ ଭୟ : ଠିକଣା ବଦଳାଇଲେ ହାଫିଜ୍ ଓ ମସୁଦ୍

ଇସଲାମାବାଦ: ପାକିସ୍ତାନରେ ସକ୍ରିୟ ଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନର ମୁଖ୍ୟମାନଙ୍କୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ‘ଅଜ୍ଞାତ ବନ୍ଧୁକଧାରୀ’ଙ୍କ ଆକ୍ରମଣ ଭୟରେ ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସଇଦ୍ ଏବଂ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ଅତି ଗୋପନୀୟ ଓ କଡ଼ା ସୁରକ୍ଷାବଳୟରେ ଥିବା ‘ସେଫ୍ ହାଉସ’କୁ ସ୍ଥାନାନ୍ତରିତ କରିଛି।

ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ଭାରତ ବିରୋଧୀ ଅନେକ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଆତଙ୍କବାଦୀ ନେତାଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ହାଫିଜ ସଇଦ୍ ଏବଂ ମାସୁଦ ଆଝାର ସେମାନଙ୍କ ପାରମ୍ପରିକ ଆଡ୍ଡା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଇଏସଆଇ ପକ୍ଷରୁ ଏହି ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବହୁଗୁଣିତ କରାଯାଇଛି। ସେମାନଙ୍କୁ କୌଣସି ସାଧାରଣ ସ୍ଥାନ କିମ୍ବା ପୂର୍ବ ଠିକଣାରେ ନରଖି, ପାକିସ୍ତାନୀ ସେନାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବା ଅତ୍ୟନ୍ତ ସୁରକ୍ଷିତ ବଙ୍କର ଓ ସେଫ୍ ହାଉସରେ ଲୁଚାଇ ରଖାଯାଇଛି। ସେମାନଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବା ସହ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାକିସ୍ତାନର କରାଚୀ, ଲାହୋର ଏବଂ ରାୱଲପିଣ୍ଡି ଭଳି ପ୍ରମୁଖ ସହରଗୁଡ଼ିକରେ ଗୋପନୀୟ ଭାବେ ସେମାନଙ୍କ ଠିକଣା ବଦଳାଯାଉଛି। ଏହାସହ ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ନିୟୋଜିତ କରାଯାଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ବିଶେଷଜ୍ଞଙ୍କ ମତରେ, ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପାକିସ୍ତାନୀ ସେନା ଏବଂ ଗୁଇନ୍ଦା ସଂସ୍ଥାର ନିଦ ହଜାଇ ଦେଇଛି। ନିଜର ଏହି ଆତଙ୍କବାଦୀ ସମ୍ପତ୍ତିକୁ ବଞ୍ଚାଇବା ପାଇଁ ପାକିସ୍ତାନ ଏବେ ସେମାନଙ୍କୁ ସୁରକ୍ଷା ଦେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି।

Leave A Reply

Your email address will not be published.