ବ୍ରହ୍ମପୁର; ବହୁଚର୍ଚ୍ଚିତ କେ.ଦୀପିକା-ଦିନେଶ ମାମଲା । ସାମ୍ନାକୁ ଆସିଲା ଡିଏନଏ ରିପୋର୍ଟ । ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଜନ୍ମିତ ଶିଶୁପୁତ୍ର ସନ୍ତାନର ବାୟୋଲୋଜିକାଲ ପ୍ୟାରେଣ୍ଟସ ହେଉଛନ୍ତି ଦିନେଶ ଏବଂ ଦୀପିକା । ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି।
ସୂଚନା ଅନୁସାରେ, ୨୦୨୧ରେ ହୋଇଥିବା ମାମଲା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଟାଉନ ଥାନା ପକ୍ଷରୁ ଦିଆଯାଇଥିଲା । ୨୦୨୨ରେ ଏହି ରିପୋର୍ଟକୁ ଏସ.ଏଫ.ଏସ.ଏଲ ଏସଡିଜେଏମ କୋର୍ଟ ଓ ବ୍ରହ୍ମପୁର ଏସପିଙ୍କୁ ପ୍ରଦାନ କରିଥିଲା । ତେବେ ଏ ଯାଏଁ ଏହି ରିପୋର୍ଟ କୋର୍ଟରେ ଦିଆଯାଇନଥିବା ଅଭିଯୋଗ କରିଥିଲେ ଦୀପିକା । ତେବେ କୋର୍ଟର ଆବଶ୍ୟକତା ଓ ତାଙ୍କ ଉକିଲଙ୍କ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଥିବା କହିଥିଲେ ବ୍ରହ୍ମପୁର ଏସପି ବିବେକ ସରଭନ ଏମ୍ ।
ସୂଚନା ଯୋଗ୍ୟ ଯେ, ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ଦୀପିକା। କିନ୍ତୁ ପରେ ନ୍ୟାୟ ମିଳିବା ଆଶାରେ ଧାରଣାରୁ ଉଠିଯାଇଥିଲେ। ତେବେ ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା ଯୋଗୁ ବାଧ୍ୟ ହୋଇ ପୁଣି ଦୁଇ ଦିନ ହେବ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା। ଏବେ ଦୀପିକାଙ୍କ କେସ ହାଇକୋର୍ଟରେ ବିଚାରାଧୀନ ରହିଛି।
Comments are closed.