ଭୁବନେଶ୍ୱର: ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି । ଯେତେ ତ୍ରିରଙ୍ଗା ଯାତ୍ରା କରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ ହୋଇଛି ।
ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, ଭାରତ ବର୍ଷର ଜନଗଣଙ୍କ ମଧ୍ୟରେ ଏକ ବିଷ ମଞ୍ଜି ପୋତିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ୨୦୨୧ ଅଗଷ୍ଟ ୧୪ ତାରିଖ ଦିନ ରାଷ୍ଟ୍ରବ୍ୟାପି ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳନ କରିବାକୁ ଆହ୍ୱାନ ଦେଲେ । କିନ୍ତୁ ଭାରତବର୍ଷର ଗଣତନ୍ତ୍ର ପ୍ରେମୀ ଜନଗଣ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହି ଅବାସ୍ତବ କାର୍ଯ୍ୟକ୍ରମ ପ୍ରତ୍ୟାଖାନ କଲେ ।
କାରଣ ଭାରତବର୍ଷର ଗଣତନ୍ତ୍ର ପ୍ରେମୀ ଜନଗଣ ଜାତିର ଜନକ ବାପୁଜୀଙ୍କ ସର୍ବଧର୍ମ ସମଭାବ ଦର୍ଶନରେ ବିଶ୍ୱାସ କରନ୍ତି । ଏହି ନଫରତର ଦୋକାନଟି ଯେତେବେଳେ ଚାଲିଲା ନାହିଁ, ବିଗତ ୭୦ ବର୍ଷ ଧରି ସ୍ୱାଧୀନ ଭାରତର ଜାତୀୟ ପତାକାକୁ ଯେଉଁମାନେ ଗ୍ରହଣ କରୁନଥିଲେ ସେହିମାନେ ଆଜି ତ୍ରିରଙ୍ଗା ଯାତ୍ରା ନାମରେ ଜାତୀୟ ପତାକାକୁ ନେଇ ଏକ ପ୍ରହସନରେ ପରିଣତ କରିଛନ୍ତି । ବିଜେପି ଦଳର ଏହି ପ୍ରବଂଚନାପୂର୍ଣ୍ଣ କାର୍ଯ୍ୟକୁ କଂଗ୍ରେସ ଦଳ ନିନ୍ଦା କରିବା ସହ ଦେଶବାସୀ ବିଜେପି ଦଳର ଅସଲ ରୂପକୁ ଦେଖିବା ଉଚିତ୍ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ଅନ୍ୟତମ ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ବିଜେପିକୁ କଟାକ୍ଷ କରି କହିଥିଲେ, ଦଳର ଜଣେ କେହି ନେତା କୁହନ୍ତୁ ଯେ ସେମାନଙ୍କ ବାପା, ଅଜା, ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ବିନ୍ଦୁଏ ରକ୍ତ ଦେଇଥିଲେ କି ? ଆମ ନେତା ରାହୁଲ ଗାନ୍ଧୀ ମଣିଷକୁ ଭଲ ପାଆନ୍ତି ବୋଲି ମୁଖପାତ୍ର ଶ୍ରୀମତୀ ଅପର୍ଣ୍ଣା ଧୀର ସିଂହ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।
Comments are closed.