Latest Odisha News

BREAKING NEWS

ହିମାଚଳରେ ବାଦଲଫଟା ବର୍ଷା-ବନ୍ୟା-ଭୂସ୍ଖଳନ, ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

ସିମଲା: ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ହିମାଚଳ ପ୍ରଦେଶ । ଦେବଭୂମିରେ ତାଣ୍ଡବ ରଚୁଛି ବର୍ଷା ବିତ୍ପାତ । ବିପଦସଙ୍କେତ ଉପରେ ଅଳକାନନ୍ଦା, ଗଙ୍ଗା, ମନ୍ଦାକିନି। ଉଛୁଳୁଛି ନଇଁ, ତଳିଆ ଅଞ୍ଚଳ ଜଳମଗ୍ନ । ଫ୍ଲାସ ଫ୍ଲଡରେ ଭାସୁଛି ବସ୍, କାର୍। ବାଦଲଫଟା ବର୍ଷା ସହ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅସମ୍ଭାଳ ସ୍ଥିତି। ସାରାରାଜ୍ୟରେ ଅଘୋଷିତ ଏମର୍ଜେନ୍ସି । ହିମାଚଳପ୍ରଦେଶରେ ଗତ ୪୮ ଘଣ୍ଟା ଧରି ଭୀଷଣ ବର୍ଷା ଜାରି ରହିଛି । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି । ରାଜ୍ୟର ଇତିହାସରେ ଏହା ପ୍ରଥମ ଥର ଅଟେ ଯେବେ ୨୪ ଘଣ୍ଟାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଅବିଶ୍ରାନ୍ତ ବର୍ଷା ଓ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଆଜି ଓ ଆସନ୍ତାକାଲି ଚାରିଧାମ ଯାତ୍ରା ସ୍ଥଗିତ ରଖାଯାଇଛି। ବଦ୍ରିନାଥ ଧାମ, ହେମକୁଣ୍ଡ ସାହିବ ଯାଉଥିବା ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଧୋଇହୋଇ ଯାଇଥିବା ବେଳେ, ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି । ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶର ୭୫୨ଟି ରାସ୍ତାରେ ଯାତାୟାତ ବନ୍ଦ ରହିଛି । ସିମଲାରେ ଧସି ଯାଇଛି ଶିବ ମନ୍ଦିର । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପି ଯବାନ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି । ଡେରାଡୁନ, ମଣ୍ଡି ଓ ସିମଲାରେ ସାଂଘାତିକ ସ୍ଥିତି । ଧୋଇଯାଇଛି କଲକା-ସିମଲା ରେଳ ଟ୍ରାକ । ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ।

ରାଜ୍ୟରେ ବର୍ଷା, ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୦ ଟପିଛି। ଶତାଧିକ ଲୋକ ଏବେବି ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ଶିମଲାର ୧୬ ଜଣ, ମଣ୍ଡିର ୧୯ ଜଣ, ସିରମୌରର ୪ ଜଣ ରହିଛନ୍ତି । ଡେରାଡୁନ ଡିଫେନ୍ସ କଲେଜ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ପ୍ରଭାବିତ ଅଞ୍ଚଳରେ ପୋଲିସ ଓ ଏସଡିଆରଏଫ ଟିମ୍ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଛନ୍ତି। ଆଗାମୀ ତିନି ଦିନ ପାଇଁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରିକରିଛି । ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨୪ରୁ ପାହାଡ଼ି ରାଜ୍ୟରେ ବର୍ଷା, ବନ୍ୟା ସ୍ଥିତି ଲାଗି ରହିଛି । ହିମାଚଳ ପ୍ରଦେଶରେ ଏବେସୁଦ୍ଧା ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷୟକ୍ଷତି ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି ।

 

 

 

 

 

 

Comments are closed.