ପୁରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଯେମିତି ସରଳ ସେମିତି ନିରାଡମ୍ବର । ବେଶ ପୋଷାକଠରୁ ଆରମ୍ଭ କରି କଥାବାର୍ତ୍ତା ପର୍ଯନ୍ତ ସବୁଥିରେ ତାଙ୍କର ସରଳତା, ତାଙ୍କର ନିରାଡମ୍ବର ଜୀବନଶୈଳୀ ବେଶ ବାରି ହୋଇପଡେ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀ ।
ଆଜି ସକାଳୁ ସକାଳୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ଖୁବ ସିମ୍ପୁଲ ସମ୍ବଲପୁରୀ ଶାଢୀ ପରିଧାନରେ ମନ୍ଦିର ଦର୍ଶନରେ ଆସିଥିଲେ । ଅରୁଣ ସ୍ତମ୍ଭ ନିକଟରେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେଠାରୁ ଫେରି ବ୍ଲୁ ଫ୍ଲାଗ୍ ବିଚ୍ରେ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ । ପରେ ତିନି ହଜାର ଛାତ୍ରଛାତ୍ରୀଙ୍କ ଗହଣରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପରେ କେନ୍ଦ୍ରମନ୍ତ୍ରୀ ଯାଇଥିଲେ ସହିଦଙ୍କ ଗାଁ ବୀର ହରେକୃଷ୍ଣ ପୁରକୁ । କେନ୍ଦ୍ରମନ୍ତ୍ରୀ ପ୍ରଥମ କରି ପୁରୀ ବୀରହରେକୃଷ୍ଣପୁର ଗାଁକୁ ଆସିଥିବାରୁ ଗ୍ରାମବାସୀ ବେଶ୍ ଉତ୍ସାହିତ ଥିଲେ । ନିର୍ମଳାଙ୍କୁ ଦେଖିବା ପାଇଁ ଗାଁର ମହିଳାମାନେ ବି ଆସିଥିଲେ । ସମସ୍ତେ ନିର୍ମଳାଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ । କାହାକୁ ନିରାଶ କରି ନ ଥିଲେ ଅର୍ଥମନ୍ତ୍ରୀ ।
ଗାଁରେ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ ଏକ ଜନସଭାରେ ଯାେଗ ଦେଇଥିଲେ । ସଭା ମଂଚରୁ କେତେବେଳେ ଫେରିବେ ନିର୍ମଳା ଓ ତାଙ୍କ ସହ ଫଟୋ ଉଠାଇବେ ତାକୁ ଅପେକ୍ଷା କରି ରହିଥିଲେ ଗାଁ ଲୋକେ ।
ସଭା ସରିବା ପରେ ନିର୍ମଳା ମଂଚରୁ ଓହ୍ଳାଇଥିଲେ । ଏହି ସମୟରେ ଗାଁର ଜଣେ ମହିଳା ଅର୍ଥମନ୍ତ୍ରୀଙ୍କ ସହ ସେଲ୍ଫି ନେବାକୁ ଯାଇଥିଲେ । କିନ୍ତୁ ପ୍ରବଳ ଗହଳି କାରଣରୁ ସେ ନେଇ ପାରୁ ନ ଥିଲେ । ତଥାପି ଭିଡ ଠେଲି ପଶିବା ସମୟରେ ସେ ଅଜାଣତରେ ଅର୍ଥମନ୍ତ୍ରୀଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ ।
ସେଇ ମୁହୂର୍ତ୍ତରେ ସେ ଖୁବ ଡରି ଯାଇଥିଲେ । କାଳେ ମନ୍ତ୍ରୀ ରାଗିବେ ବା ସେମିତି କିଛି ଅପ୍ରୀତିକର ସ୍ଥିତି ସୃଷ୍ଟି ହେବ । ହେଲେ ନିର୍ମଳା ରାଗିନଥିଲେ । ବରଂ ମହିଳାଙ୍କ ବ୍ୟଗ୍ରତା ଦେଖି ଅଟକି ଯାଇଥିଲେ ଏବଂ ମହିଳାଙ୍କୁ ସେଲ୍ଫି ନେବାକୁ ଡାକି ଥିଲେ । କଥା ଏତିକିରେ ଶେଷ ହୋଇ ନ ଥିଲା । ମହିଳା ଜଣକ ସେଲ୍ଫି ନେବାକୁ ଆସି ନେଇ ପାରି ନ ଥିଲେ । ତେଣୁ ନିର୍ମଳା ସୀତାରମଣ ମହିଳାଙ୍କ ହାତରୁ ଫୋନ୍ ଆଣି ନିଜେ ସେଲ୍ଫି ନେଇଥିଲେ ।
ସରଳତାର ଆଉ ଗୋଟଏ ଉଦାହରଣ । ଏହି ଗସ୍ତ ବେଳେ ନିର୍ମଳା ସହିଦ ପରିବାରଙ୍କୁ ଭେଟିଥିଲେ । ପରିବାର ସଦସ୍ୟଙ୍କୁ ଭେଟିଥିଲେ ଓ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ଉପରକୁ ଯେତେବେଳେ ପୁରୀର ଜିତେନ୍ଦ୍ର ପ୍ରଧାନଙ୍କ ପରିବାରଙ୍କ ଡକାଗଲା ସେତେବେଳେ ତାଙ୍କର ମା’ ଆସିଥିଲେ । ତାଙ୍କୁ ଦେଖି ମୁଣ୍ଡ ନୁଆଁଇ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହା ପରେ ଜିତେନ୍ଦ୍ରଙ୍କ ବୃଦ୍ଧା ମା’ଙ୍କୁ କୁଣ୍ଢାଇ ପକାଇଥିଲେ ନିର୍ମଳା । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଏକାଧିକ ସଦସ୍ୟଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ ନିର୍ମଳା । ତାଙ୍କ ବେକରେ ଉପଢୌକନ ପକାଇ କାହାର ମୁଣ୍ଡକୁ ଆଉଁସି ଦେଉଥିଲେ ତ କାହା ଆଖିରୁ ଲୁହ ପୋଛି ଦେଉଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ଏପରି ସରଳ, ଅମାୟିକ ବ୍ୟବହାରରେ ଅବିଭୂତ ହୋଇପଡିଥିଲେ ଗାଁ ଲୋକେ ।
Comments are closed.