Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଅବସରରେ ଆମେ ବିଭିନ୍ନ ଭୋଗ ବିଷୟରେ ଅଳ୍ପ ବହୁତ ଜାଣିଲେ। ଶ୍ରୀଜୀଉମାନଙ୍କୁ ସମର୍ପିତ ହେଉଥିବା ଅନ୍ନ ବ୍ୟଞ୍ଜନ ବିଷୟରେ ମଧ୍ଯ ଜାଣିଲେ, ଏହି ପରିପ୍ରେକ୍ଷୀରେ ଆଜି ଜାଣିବା ଶ୍ରୀଜୀଉମାନଙ୍କ ତୃଷା ନିବାରଣ ଅର୍ଥରେ କଣ କଣ ପାନୀୟ ପଦାର୍ଥ ଅର୍ପଣ ହୋଇଥାଏ। ଏହାକୁ ଶୁଦ୍ଧ ଭାଷାରେ କୁହାଯାଏ “ପ୍ରପାନକ “। ଶ୍ରୀମନ୍ଦିର ପ୍ରଚଳିତ ଭାଷାରେ ପ୍ରପାନକ ଓ ଶୁଦ୍ଧ ଓଡ଼ିଆରେ ପଣା ଭୋଗ। ମହାପ୍ରଭୁମାନଙ୍କ ଦୈନିକ ନୀତି ସହିତ କେତେକ ପର୍ବାଣୀ ଦିନମାନଙ୍କରେ ମଧ୍ଯ ପଣା ଭୋଗ ଅନୁଷ୍ଠିତ ହୋଇଥାଏ। ମାଦଳା ପାଞ୍ଜି ବର୍ଣ୍ଣନା ଅନୁସାରେ ପୂର୍ବେ ଏହାକୁ ଏକ ବିଶେଷ ସେବକ ଗୋଷ୍ଟୀ ପ୍ରସ୍ତୁତ କରୁଥିଲେ, ଯାହାଙ୍କୁ ‘ପଣା ସୁଆର ” ଭାବରେ ଅଭିହିତ କରାଯାଇଥିଲା। ଏହି ସେବକମାନଙ୍କ ମୂଖ୍ୟ କାର୍ଯ୍ୟ ବିଷୟରେ ମାଦଳାପାଞ୍ଜିରେ ଅଛି। “ଅମୃତ କୁଣ୍ଡ, ଛେନା ପଣା, ସରପଣା,  ଫାଟ ପଣା, ଆମ୍ବ ପଣା, ପଣସ ପଣା, ଟଭା ପଣା, ଏ ପଣାମାନ ଗୋଳି ବହି ଆଣି ପନ୍ତିରେ ବାଢିବ, ପର୍ବ ଯାତ୍ରା ମାନରେ ଯେତେ ଅମୃତ କୁଣ୍ଡ ଅଙ୍ଗବାସ ପଣା ହୋଇବ ତାହା ରୁଯୁ କରିବ ପନ୍ତିରେ ମହାସୁଆରଙ୍କୁ ଗଣାଇବ  ” ସାଧାରଣ ଭାବରେ ଦେଖିଲେ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନି ପ୍ରକାର ପଣାର ପ୍ରଚଳନ ଦେଖାଯାଏ। ତାହା ହେଲା ଦୈନିକ ପଣା, ଅଣସର ପଣା, ଓ ଅଧରପଣା। ତେବେ ବାହୁଡା଼ ପରେ ନୀଳାଦ୍ରିବିଜୟ ପୂର୍ବରୁ ତିନି ରଥ ଉପରେ ପ୍ରସ୍ତୁତ ହେଉଥିବା ଅଧର ପଣା ହେଉଛି ସର୍ବବୃହତ ପଣା ଭୋଗ । ବର୍ତ୍ତମାନ ସମୟରେ ଏହି ଅଧର ପଣା ଏକ ବିଶେଷ ଆକର୍ଷଣ ପାଲଟି ଯାଇଛି। ସେହିପରି ଶ୍ରୀଜୀଉମାନେ ରତ୍ନ ସିଂହାସନ, ଅଣସର ପିଣ୍ଡି, ଆଡପ ମଣ୍ଡପ, ସ୍ନାନ ମଣ୍ଡପ ଓ ପହଣ୍ଡି ବିଜେ ସମୟରେ ବିରାଜମାନ କରୁଥିବା ବେଳେ ପଣା ଭୋଗ ଲାଗି ହେବାର ବିଧି ରହିଛି। ଏହି ସବୁ ଦୃଷ୍ଟିରୁ ବିଚାର କଲେ ଶ୍ରୀମନ୍ଦିର ପରମ୍ପରାରେ ରାଜ ଭୋଗ (କୋଠ ଭୋଗ ), ଛପନ ଭୋଗର ଯେପରି ଖ୍ୟାତି ଅଛି ସେହିପରି ଏହି ପଣା ଭୋଗର ଖ୍ୟାତି ମଧ୍ଯ ରହିଅଛି। ଆଗାମୀ ଅଧ୍ୟାୟମାନଙ୍କରେ ଏହି ପଣା ଭୋଗର ବିଭିନ୍ନ ବିଷୟରେ ବିଷଦ ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ଭଗିନୀ ଦୟାର ମୁରତୀ
ଧର୍ମର ମୁରତୀ ଅତିଥି ।
ଅଗ୍ନି ମୁରତୀ ଅଭ୍ୟାଗତ
ଆତ୍ମାର ମୁରତୀ ସର୍ବଭୁତ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.