Latest Odisha News

ସଦ୍ୟ ଶିକ୍ଷକ ଠିକା ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିରୁ ଓହରିଗଲେ କହିଲା ଅଭିଭାବକ ସଂଘ

ଭୁବନେଶ୍ୱର: ଓଡିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗତକାଲି ଶିକ୍ଷକ ନିଯୁକ୍ତିକୁ ନେଇ ଜାରି କରିଥିବା ବିଜ୍ଞପ୍ତିକୁ ନେଇ ଦେଖାଦେଇଛି ବିବାଦ। ସରକାର ପ୍ରାଥମିକ ଶିକ୍ଷକଙ୍କୁ ନିୟୋଜିତ କରିବା ପାଇଁ ବ୍ୟାପକ ମାର୍ଗଦର୍ଶିକା ଜାରି କରିଛନ୍ତି।  ଅନଲାଇନ୍ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମାଧ୍ୟମରେ ୨୦ ହଜାର କନିଷ୍ଠ ଶିକ୍ଷକ (ସ୍କିମେଟିକ୍) ଜରିଆରେ ନିଯୁକ୍ତି ଦିଆଯିବ। ତେବେ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦେବାକୁ ଦାବି କରୁଥିବା ଓଡ଼ିଶା ଅଭିଭାବକ ମହାସଙ୍ଘ ସରକାରଙ୍କ ଏହି ପଦକ୍ଷେପକୁ ତୀବ୍ର ବିରୋଧ କରିଛି।

ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ନିଯୁକ୍ତିକୁ ଜିଲ୍ଲା ପରିଷଦ ହାତକୁ ଟେକି ଦେଇଛନ୍ତି। ଯାହର ଅଧ୍ୟକ୍ଷ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଶିକ୍ଷା ଅଧିକାରୀ ରହିବେ। ତେବେ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟାନ୍ୟ ପଞ୍ଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଜିଲ୍ଲା ପରିଷଦ ଅଧୀନରେ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ସମଗ୍ର ଶିକ୍ଷା ଯୋଜନାରେ ଠିକାରେ ନିଯୁକ୍ତି ପାଇବେ।

ଓଡ଼ିଶା ଅଭିଭାବକ ମହାସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଯଦି ସରକାର ସତରେ ପିଲାଙ୍କ ଉନ୍ନତୀ ଚାହୁଁଛନ୍ତି ତେବେ ନରଓ୍ବେ, ଡେନମାର୍କ ଓ ସ୍ୱିଡେନ ଭଳି ଦେଶର ଶିକ୍ଷା ବ୍ୟବସ୍ଥାକୁ ଅନୁସରଣ କରିବା ଆବଶ୍ୟକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଶିକ୍ଷକଙ୍କ ପାଇଁ ଅଧିକ ଦରମା ଓ ଉନ୍ନତ ସୁବିଧା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ବିଜ୍ଞପ୍ତିରେ କନିଷ୍ଠ ଶିକ୍ଷକଙ୍କ ଦରମା ଢାଞ୍ଚା ସମ୍ପର୍କିତ ସବିଶେଷ ତଥ୍ୟ ନମିଳିବା ନେଇ ସଂଘର ଅଧ୍ୟକ୍ଷ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୂର୍ବୁରୁ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯାଇଥିବା ପରି ମନେ ହେଉଛି। ଗତ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରତ୍ୟାହାର କରିବା ଉଦ୍ଦେଶ୍ୟ ଘୋଷଣା କରିଥିଲେ। ଏହି ସଦ୍ୟ ପଦକ୍ଷେପ ସେହି ପ୍ରତିଶ୍ରୁତି ଭଙ୍ଗ କରିଥିବା କହିଛନ୍ତି ବାସୁଦେବ ଭଟ୍ଟ।

୨୦୧୬ ମସିହାରୁ ଏଯାବତ କୌଣସି ପ୍ରାଥମିକ ଶିକ୍ଷକ ନିଯୁକ୍ତି ହୋଇ ନଥିବା କହିଛନ୍ତି। ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ପାଇଁ ପ୍ରସ୍ତାବିତ ୮ରୁ ୯ ହଜାର ଟଙ୍କା ଦରମାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

Comments are closed.