Latest Odisha News

BREAKING NEWS

‘ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି’ କହି ପ୍ରଦୀପ ପାଣିଗ୍ରାହୀଙ୍କୁ ପରୋକ୍ଷରେ ସମାଲୋଚନା କଲେ ସଚିବ

ବ୍ରହ୍ମପୁର: ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି। ଗଞ୍ଜାମ ଗସ୍ତରେ ଥିବା ୫-ଟି ସଚିବ ଭି. କେ. ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ କନିସିରେ ଏକ ସାଧାରଣ ସଭାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପରୋକ୍ଷରେ ସମାଲୋଚନା କରିବାକୁ ଯାଇ ଏପରି କହିଛନ୍ତି। ଯାହା ବିଧାୟକ ଓ ସଚିବଙ୍କ ମଧ୍ୟରେ ଥିବା ବିବାଦ ଆଗକୁ ଆହୁରି ବଢ଼ିବା ନେଇ ସମ୍ଭାବନା ରହିଛି।

ପାଣ୍ଡିଆନ କହିଛନ୍ତି, କୋଭିଡ୍ ସମୟରେ ଜଣେ ଲୋକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି କହିଥିଲେ ଯେ ଆମେ ବାହାରେ ରହୁଥିବା ଗଞ୍ଜାମ ଲୋକଙ୍କୁ ଫେରିବାକୁ ଅନୁମତି ଦେବା ଉଚିତ ନୁହେଁ କାରଣ ଏହା ଜିଲ୍ଲାରେ କୋଭିଡ୍ ପରିସ୍ଥିତିକୁ ଖରାପ କରିବ। ପ୍ରଥମେ ବଞ୍ଚିବା ଦରକାର, ତା’ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବା ଦରକାର। ମୁଖ୍ୟମନ୍ତ୍ରୀ ରାଗି ଯାଇ ଆମକୁ ବାହାରୁ ବାସିନ୍ଦାଙ୍କ ସୁରକ୍ଷିତ ଫେରିବା ସୁନିଶ୍ଚିତ କରିବାକୁ କହିଥିଲେ।

ସେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ କରୋନା ସମୟରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ବୋଲି ପାଣ୍ଡିଆନ ଅଭିଯୋଗ କରିଛନ୍ତି। ଏମିତିକି ଜଣେ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିଛନ୍ତି।

ପରେ ୫-ଟି ସଚିବଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଧାୟକ ପାଣିଗ୍ରାହୀ କହିଛନ୍ତି, ଭିକେ ପାଣ୍ଡିଆନ୍ ଜଣେ ମିଛୁଆ; ମୁଁ ଖୋଲାଖୋଲି ଭାବେ କହୁଛି ଭିକେ ପାଣ୍ଡିଆନ୍ ଜଣେ ମହାନ, ମହାନ ମିଛୁଆ।”

ଲାଞ୍ଜିପଲ୍ଲୀ ଫ୍ଲାଏଓଭର ନିକଟରେ ବିଧାୟକଙ୍କୁ ବିଜେଡି କର୍ମୀମାନେ ଅଟକ ରଖିଥିବା ଅଭିଯୋଗ ହୋଇଛି। ବିଧାୟକଙ୍କ ସମର୍ଥକ ଓ ଶାସକ ଦଳର କର୍ମୀଙ୍କ ମଧ୍ୟରେ ଏହି ସମୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ବିଜେଡି ସମର୍ଥକମାନେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବିଜେଡି ସମର୍ଥକଙ୍କ ଆକ୍ରମଣର ଶିକାର ହେବା ପରେ ବିଧାୟକ ପାଣିଗ୍ରାହୀ କହିଛନ୍ତି, ପାଣ୍ଡିଆନ୍ ଯେଉଁଦିନ ସେଠାକୁ ଯିବେ ସେହିଦିନ ମୁଁ କନିସି ଯିବି ବୋଲି ଘୋଷଣା କରିବା ପରେ ମୋତେ ଲଗାତାର ଫଲୋ କରାଯାଉଛି ଓ ଆକ୍ରମଣ କରାଯାଉଛି। ବିଜେଡିର କିଛି ଗୁଣ୍ଡା ଅଛନ୍ତି ଯେଉଁମାନେ ମୋ ଗାଡ଼ି ଉପରକୁ ଚଢ଼ି ମୋତେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ମୋତେ ଜାତୀୟ ରାଜପଥରେ ଅଟକାଇଥିଲା ଏବଂ ଆଗକୁ ଯିବାକୁ ଦେଇନଥିଲା।

ବିଧାୟକ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି ଯେ, ଜଣେ ସଚିବଙ୍କ ସୁରକ୍ଷା ପାଇଁ ୪ହଜାର ପୁଲିସ ଫୋର୍ସ ମୁତ୍ତୟନ ହୋଇଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କ ସୁରକ୍ଷା ପାଇଁ କିଭଳି ଜଣଙ୍କୁ ବି ନିୟୋଜନ କରାଗଲାନି।

Comments are closed.