ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଥିବା ଗାଁ ଗୁଡିକୁ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଓ ପୋଲ ନିର୍ମାଣ କାମ ସରିପାରୁନି । ଗୋଟିଏ କାମକୁ ଜଣେ ବଡ଼ ଠିକାଦାର ନେବା ପରେ ସେ ନିଜେ ସେହି କାମକୁ ନ କରି ଅନ୍ୟ ଠିକାଦାର ମାନଙ୍କୁ କାମ ବିକ୍ରି କରୁଛନ୍ତି । ଯାହାଦ୍ୱାରା ଆସିଥିବା ଅନୁଦାନ ଭାଗ ଭାଗ ହୋଇ ଅଧିକା ମୁନାଫା ଉଠାଇବା ଚକ୍କରରେ ନିମ୍ନମାନର କାର୍ଯ୍ୟ ହେଉଛି ।
ତେବେ ଏଥିରେ ହତାଶ ହେବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ନିମ୍ନମାନର କାମ ଯୋଗୁଁ ବହୁ ନୀରିହ ଲୋକଙ୍କର ଜୀବନ ଯାଉଛି । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ । ସିକରପାଇ ପଂଚାୟତ ଉପରସାଜା ଗାଁ ନିକଟରେ ନିର୍ମାଣାଧୀନ କଲଭର୍ଟର ଫଲ୍ସସ୍ଲାପ ଭୁଶୁଡ଼ି ୪ ଜଣ ଶିଶୁଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଲୋକେ । ପକ୍କା ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ହେଲେ କିଛି ସୁଫଳ ମିଳିନି । ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ଠିକାଦାରଙ୍କ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରି ଲୋକଙ୍କୁ ସୁବିଧା ଯୋଗାଇବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
Comments are closed.